Odiapua.com

ଜୁନାଗଡ ଠାରେ କଲାହାଣ୍ଡି ଉତ୍ସବ ପାଳନ ସାର୍ବଜନୀନ ହୋଇପାରୁନାହିଁ । ଜନସାଧାରଣରେ ଅସନ୍ତୋଷ

କଳାହାଣ୍ଡି – ୧୫.୦୧.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ସ୍ଥାନୀୟ ଲୋକ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଗ୍ରାମପଂଚାୟତ ସ୍ତରରୁ କଳାହାଣ୍ଡି ଉତ୍ସବ ପାଳନ କରାଯାଉଛି । ମନ୍ଦିର ମାଳିନୀ ସର୍ବପୁରାତନ ଜୁନାଗଡ ସହରରେ ଗତ ୨୦୦୩ ମସିହା ଠାରୁ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯାଉଥିବା ବେଳେ ଏଠାରେ ସ୍ଥାନୀୟ ପ୍ରତିଭାବାନ ବ୍ୟକ୍ତିତ୍ୱ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ଦୀର୍ଘ ୧୬ ବର୍ଷ ହେବ ସେହି ଏକାଧାରରେ କଳାହାଣ୍ଡି ଉତ୍ସବ ପାଳନ କରାଯାଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଆଂକର ଜଣେ ମଧ୍ୟ ଜୁନାଗଡ ସହର କିମ୍ବା ଗ୍ରାମାଂଚଳରୁ ବାହାର କରାଯାଇପାରିନାହିଁ । ପ୍ରତିବର୍ଷ ଜୁନାଗଡରୁହିଁ ଆଂକରିଇ କରିବାକୁ ଦାବୀ ହେଉଥିଲେହେଁ ଭଡାରେ ନୂଆପଡା ଜିଲ୍ଲାରୁ ସିନା ଆଂକର ଅଣାଯାଉଛି କିନ୍ତୁ ସ୍ଥାନୀୟ ଆଂକରକୁ ସୁଯୋଗ ଦିଆଯାଉନାହିଁ । ଏପରିକି ଦୀର୍ଘ ବର୍ଷ ହେବ ଯେଉଁ ଜଣେ ଦୁଇଜଣ ବ୍ୟକ୍ତି ମଂଚପରିଚାଲନା କରୁଛନ୍ତି ସେମାନେ ହିଁ ଆଜି ମଧ୍ୟ ମଂଚ ପରିଚାଲନା କରୁଥିବା ଦେଖାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଜୁନାଗଡ ସହରରେ କିମ୍ବା ଗ୍ରାମାଂଚଳରେ ମଂଚପରିଚାଲନା କରିବା ପାଇଁ ମଧ୍ୟ ଲୋକନାହାନ୍ତି କିମ୍ବା ଯେଉଁ ଜଣେ ଦୁଇଜଣ ମଂଚପରିଚାଲନା କରିଆସୁଛନ୍ତି ସେମାନେ ଅନ୍ୟ ମାନଙ୍କୁ ସୁଯୋଗ ଦେବାକୁ ଚାହୁଁ ନାହାନ୍ତି । ଜୁନାଗଡ ସହର ଏବଂ ଗ୍ରାମାଂଚଳରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ କି ଭଡାଟିଆ ଆଂକର ଏବଂ ପାରମ୍ପରିକ ମଂଚପରିଚାଲକ ଠାରୁ ମଧ୍ୟ ଉଚ୍ଚ କୋଟୀର ପାଦର୍ଶିତା ଦେଖାଇ ପାରିବେ କିନ୍ତୁ ସେମାନଙ୍କୁ ସୁଯୋଗ ଦିଆଯାଉନଥିବାରୁ ସମଗ୍ର ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ କିଛି ନିର୍ଦ୍ଦିଷ୍ଟ ଆୟୋଜକ ମାନଙ୍କ ମଧ୍ୟରେ ହିଁ ସୀମିତ ରହିଯାଇଥିବା ଦେଖାଯାଉଛି । ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସ ବୋଲି କୁହାଯାଉଥିଲେହେଁ ବ୍ଲକ ସ୍ତରରେ ଗ୍ରାମାଂଚଳର ବ୍ୟକ୍ତିଙ୍କୁ ସାମିଲ କରାଯାଉନଥିବାର ଜଣାପଡିଛି । ଜୁନାଗଡ ଏନଏସି ଏବଂ ବ୍ଲକ ଅଂଚଲରେ ଥିବା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତି ମାନଙ୍କୁ କ୍ରମାନ୍ୱୟରେ ଅନ୍ତତଃ ପକ୍ଷେ ଫୁଲତୋଡାଟିଏ ଦେଇ ହେଲେ ମଂଚରେ ସମ୍ବର୍ଦ୍ଧନା ଦିଆଯାଉ ବୋଲି ଦାବୀ ହୋଇଆସୁଥିବା ବେଳେ ତାହା ମଧ୍ୟ କରାଯାଉନାହିଁ ବୋଲି ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବିଭିନ୍ନ ସ୍ତରରେ ପ୍ରତିଯୋଗୀତା ମାନ ଆୟୋଜନ କରାଯାଉଥିବା ବେଳେ ସୀମିତ ପ୍ରତିଯୋଗୀ ମାନଙ୍କୁ ନେଇ ହିଁ ପ୍ରତିଯୋଗୀତା ସାରି ଦିଆଯାଉଥିବା ବେଳେ ବିଶେଷ କରି ଗ୍ରାମାଂଚଳର ପ୍ରତିଯୋଗୀ ମାନଙ୍କୁ ସୁଯୋଗ ଦିଆଯାଉନାହିଁ । ଅନେକ ସମୟରେ କୌଣସି ପ୍ରତିଯୋଗୀତା କରାନଯାଇ ଔପଚାରିକ ଭାବେ ପ୍ରତିଯୋଗୀତା ନାମରେ କେବଳ ପୁରସ୍କାର ଦେଇଦିଆଯାଉଥିବା ମଧ୍ୟ କୁହାଯାଉଛି । ପ୍ରତି ଗ୍ରାମପଂଚାୟତରୁ କଳାହାଣ୍ଡି ଉତ୍ସବ ପାଇଁ ପାଣ୍ଠି ସଂଗ୍ରହ କରାଯାଉଥିବା ବେଳେ ନିର୍ବାଚିତ ପ୍ରତିନିଧି କିମ୍ବା ଗ୍ରାମପଂଚାୟତ ପଦାଧିକାରୀ ମାନଙ୍କୁ ମଧ୍ୟ କୌଣସି ପ୍ରକାର ଗୁରୁତ୍ୱ ଦିଆଯାଉନାହିଁ । ଏହିବର୍ଷ କଳାହାଣ୍ଡି ଉତ୍ସବ ଘୁମରା କୁ ଜୁନାଗଡ ମହୋତ୍ସବ ୨୦୧୯ ନାମରେ ପାଳନ କରାଯାଇଥିବା ବେଳେ ସେହି ଚିରାଚରିତ ଶୈଳିରେ ହିଁ ପାଲନ କରାଯାଇଥିବା ଦେଖାଯାଇଥିଲା । ପ୍ରସ୍ତୃତି ବୈଠକ ନାମକୁ ମାତ୍ର କରାଯାଇଥିବା ବେଳେ କେବଳ ନାମକୁ ମାତ୍ର ବିଭିନ୍ନ କମିଟୀ ଗଠନ କରାଯାଇ ଅନେକ ବ୍ୟକ୍ତିଙ୍କ ନାମ ଲେଖାଯାଇଥିବା କୁହାଯାଉଥିଲେହେଁ ସେମାନଙ୍କୁ ମଧ୍ୟ କୌଣସି ବୈଠକରେ ଡକାଯାଉନଥିବା ଜଣାପଡିଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ନାମକୁ ମାତ୍ର ପ୍ରଚାର ପ୍ରସାର କମିଟୀ ଗଠନ କରାଯାଇଥିବା ବେଳେ ସେହି କମିଟୀକୁ କୌଣସି ପ୍ରକାର ଗୁରୁତ୍ୱ ଦିଆଯାଇନଥିବା ଦେଖାଯାଇଥିଲା । ଏପରିକି ଏହି ପ୍ରଚାର ପ୍ରସାର କମିଟୀକୁ କୌଣସି ତଥ୍ୟ ଦିଆଯାଇନଥିଲା କିମ୍ବା କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନଥିବା ଜଣାପଡିଛି । ବିଭିନ୍ନ ପ୍ରତିଯୋଗୀତା କରାଯାଇଥିବା ଦର୍ଶାଯାଉଥିବା ବେଳେ ଅନେକ ପ୍ରତିଯୋଗୀତା କେବଳ ନାମକୁ ମାତ୍ର କରାଯାଇଥିବା କୁହାଯାଉଛି । ବିଭିନ୍ନ ପ୍ରଶାସନିକ ପଦାଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ତଥା ପୂର୍ବତନ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ନିମନ୍ତ୍ରଣ ପତ୍ରରେ ଛପାଯାଇଥିବା ବେଳେ ଅଧିକାଂଶ ଅତିଥି କାର୍ଯ୍ୟକ୍ରମକୁ ଆସିନଥିଲେ ତେଣୁ ନିମନ୍ତ୍ରଣ କରାଯିବା ନେଇ ମଧ୍ୟ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ଭାବେ କେତେଜଣ ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଉତ୍ସବକୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇନଥିବା ମଧ୍ୟ ଦେଖାଯାଇଥିଲା । ଭଡାରେ ନୂଆପଡା ଜିଲ୍ଲାରୁ ଆଂକର ଅଣାଯାଇଥିବା ସହିତ ଜଣେ ଜଣେ ବ୍ୟକ୍ତି ଦୁଇ ତିନି ଦିନ ଧରି ମଂଚ ପରିଚାଲନା କରିଥିବା ବେଳେ ଜୁନାଗଡ ଗ୍ରାମାଂଚଳର ଏବଂ ଏନଏସିର ଅନେକ ପ୍ରତିଭାଧାରୀ ମାନଙ୍କୁ ଉପେକ୍ଷା କରା ଯାଇଥିଲା । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ତରଫରୁ ଆବାହକ ମାନଙ୍କୁ ଜଣାଇ ସେସବୁ ପ୍ରତି ଦୃଷ୍ଟି ଦେଇ ସ୍ଥାନୀୟ ପ୍ରତିଭାଧାରୀ ମାନଙ୍କୁ ସୁଯୋଗ ଦେବାକୁ, ଗ୍ରାମାଂଚଳରେ ଜୁନାଗଡ କଳାହାଣ୍ଡି ଉତ୍ସବ ସଂପର୍କରେ ଓ ବିଭିନ୍ନ କାର୍ଯୟକ୍ରମ ସଂପର୍କରେ ପ୍ରଚାର ପ୍ରସାର କରାଯିବାକୁ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବା , ଆଦି ଦାବୀ କରାଯାଇଥିବା ବେଳେ ସେମାନଙ୍କ ଦାବୀ ସବୁକୁ ଉପେକ୍ଷା କରାଯିବା ସହିତ ସେମାନଙ୍କୁ କୌଣସି ପ୍ରକାର ସହଯୋଗ କରାଯାଇନଥିଲା । ରାଜରାସ୍ତାରେ ପାଶ ,ବେଚ ଆଦି ଉଡିବୁଲୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୌଣସି ବେଚ କି ପାଶ ଦିଆଯାଇନଥିଲା । ମିଡିଆ ଗେଲେରୀ ଭାବେ ନାମକୁ ମାତ୍ର ଏକ ସ୍ୱତନ୍ତ୍ର ମଂଚ ନିର୍ମାଣ କରାଯାଇ ସାମନାରେ ମାତ୍ର ତିନିଟି ଚୌକି ପକାଯାଇଥିବା ନେଇ ଜୁନାଗଡ କଳାହାଣ୍ଡି ଉତ୍ସବ ପାଇଁ ମାତ୍ର ତିନିଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଆବଶ୍ୟକତା ଥିବାର ଚର୍ଚ୍ଚା ହେଉଥିଲା । ଏପରିକି ଏତେସବୁ ଅନିୟମିତତା ସଂପର୍କରେ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆବାହକ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ ସେମାନେ ନିଦାବିଷ୍ଠୁ ଭଲି ଚୁପ ରହିଥିବା ଦେଖାଯାଇଥିଲା । ଫଳତଃ ଆଗଧାଡିରେ ରହୁଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ସଂପୂର୍ଣ୍ଣ କବଜାରେ ଜୁନାଗଡ କଳାହାଣ୍ଡି ଉତ୍ସବ ପରିଚାଲିତ ହୋଇଥିବା ଜନସାଧାରଣରେ ଆଲୋଚନା ହେଉଛି । କୋର କମିଟୀରେ ନିଷ୍ପତି ହୋଇଥିବା କୁହାଯାଉଥୈଲେହେଁ ଏହି କୋର କମିଟୀ କାହାକୁ ନେଇ କେବେ ଗଠନ କରାଯାଇଛି ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସରକାରୀ ପଦାଧିକାରୀ ମାନେ ନୀରବ ଦ୍ରଷ୍ଟା ସାଜିଥିବା ହେତୁ ସାଧାରଣରେ ଅନେକ ପ୍ରକାର ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ଏହି ପଦାଧିକାରୀ ମାନଙ୍କ କୌଣସି ଦୁର୍ବଳତା ହୁଏତ ଏହି ବ୍ୟକ୍ତି ବିଶେଷ ମାନେ ଜାଣିଥିବେ ସେଥିପାଇଁ ହୁଏତ ଯେତେ ଅନିୟମିତତା ହେଲେ ମଧ୍ୟ ଏହି ପଦାଧିକାରୀମାନେ କେବଳ ନୀରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲୋଚନା ହେଉଛି । ଜୁନାଗଡ ଠାରେ ହୋଇଆସୁଥିବା କଳାହାଣ୍ଡି ଉତ୍ସବ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରାଯାଇ ଏହାକୁ ସାର୍ବଜନୀନ କରାଯିବା ସହିତ ସମସ୍ତଙ୍କୁ ସାମିଲ କରାଯିବାର ପ୍ରକ୍ରୀୟା କରାଗଲେ ନିଶ୍ଚିତ ଭାବେ ଏହି ଉତ୍ସବ ଆହୁରି ଉଚ୍ଚ କୋଟୀର ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ବିଗତ ବର୍ଷ ମାନଙ୍କରେ ଜୁନାଗଡ କଳାହାଣ୍ଡି ଉତ୍ସବକୁ ସାର୍ବଜନୀନ କରାଯିବା ପାଇଁ ସାଧାରଣରେ ଦାବୀ ହୋଇଆସୁଥିବା ବେଳେ ସେଥିପ୍ରତି ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।