Odiapua.com

ଜୁନାଗଡ ଠାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

କଳାହାଣ୍ଡି- ତା.୦୧.୦୩.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ସର୍ବପୁରାତନ ସହର ଜୁନାଗଡ ଠାରେ ଦୀର୍ଘଦିନ ହେବ ଦାବୀ ହୋଇଆସୁଥିବା ଉପନିବନ୍ଧନ କାର୍ଯ୍ୟାଳୟ ଜୁନାଗଡ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ୩୪ଖଣ୍ଡ ଗ୍ରାମପଂଚାୟତ କେ ନେଇ ଗଠିତ ଜୁନାଗଡ ବ୍ଲକର ସମସ୍ତ ଅଂଚଳ ଓ ଜୁନାଗଡ ଏନଏସିକୁ ନେଇ ଏହି ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟ କରିବ ବୋଲି ଜଣାପଡିଛି । ଏନେଇ ଦୀର୍ଘ ଦିନ ହେବ ଜନସାଧାରଣରେ ଦାବୀ ହୋଇଆସୁଥିବା ବେଳେ ତାହା ପୂରଣ ହୋଇଯାଇଥିବା ବିଧାୟକ ପ୍ରକାଶ କରିଛନ୍ତି । ପୂର୍ବରୁ ଜୁନାଗଡ ବ୍ଲକର ଅବିଭକ୍ତ ଦାସିଗାଁ ଆରଆଇ ସର୍କଲ ଏବଂ ଚାରବାହାଲ ସର୍କଲର ସମସ୍ତ ଗ୍ରାମ ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ ଉପରେ ଭରସା କରିଆସୁଥିବା ବେଳେ ବଳକା ଅଂଚଳ ଯଥା ଅବିଭକ୍ତ ମହିଚଲା, ଆଟିଗାଁ, ନାନେ୍ଦାଳ, ଜୁନାଗଡ ଆର ଆଇ ସର୍କଲର ସମସ୍ତ ଗ୍ରାମ ଧର୍ମଗଡ ଉପନିବନ୍ଧନ କାର୍ଯ୍ୟାଳୟ ଉପରେ ଭରସା କରିଆସୁଥିଲେ । ବର୍ତମାନ ସମଗ୍ର ଜୁନାଗଡ ତହସିଲ ଅଂଚଳରେ ଥିବା ସମସ୍ତ ଆରଆଇ ସର୍କଲର ଗ୍ରାମ ଏହି ଉପନିବନ୍ଧନ କାର୍ଯ୍ୟାଳୟରେ ରେଜିଷ୍ଟ୍ରୀ କରାଇ ପାରିବେ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନାଗଡ ତହସିଲ ପରିସରରେ ଏହି ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଜୁନାଗଡ ତହସିଲଦାରଙ୍କୁ ଭାରପ୍ରାପ୍ତ ଉପନିବନ୍ଧକ ଭାବେ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ଏହି ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଜିଲ୍ଲା ଉପନିବନ୍ଧକ ଯୋଗ ଦେଇଥିବା ବେଳେ ପ୍ରଥମ ଦିନରେ ୧୪ ଗୋଟି ଜମିଜମା ସଂକ୍ରାନ୍ତୀୟ ରେଜିଷ୍ଟ୍ରେସନ ହୋଇଥିଲା । ଜୁନାଗଡ ଠାରେ ନୂତନ ଉପନିବନ୍ଧନ (ସବରେଜିଷ୍ଟ୍ରୀ) କାର୍ଯ୍ୟାଳୟ ଉଦଘାଟନ ହେବାପରତେ ସମଗ୍ର ଜୁନାଗଡ ଅଂଚଳବାସୀ ଉତ୍ସାହିତ ହୋଇଥିବା ଜଣାପଡିଛି ।