Odiapua.com

ଜୁନାଗଡ ଆରଏମସି ପକ୍ଷରୁ ଧରପଗଡ, ୫ଟି ଟ୍ରକରୁ ୧୬ହଜାର ଟଙ୍କା ମାର୍କେଟ ଫିଜ ଅସୁଲି

କଳାହାଣ୍ଡି- ତା.୨୨.୧୨.୨୦୧୯ (ଓଡିଆପୁଅ) ଜୁନାଗଡ ଆରଏମସି ପକ୍ଷରୁ ବ୍ୟାପକ ଭାବେ ଧରପଗଡ କରାଯାଇ ଶନିବାର ଦିନ ୫ଟି ଶସ୍ୟ ବୋଝେଇ ଟ୍ରକରୁ ମାର୍କେଟ ଫିଜ ବାବଦକୁ ୧୬ ହଜାର ୩୬୮ ଟଙ୍କା ଅସୁଲି କରାଯାଇଥିବା ନୂତନ ଭାବେ ଯୋଗ ଦେଇଥିବା ଜୁନାଗଡ ଆରଏମସି ସଂପାଦକଙ୍କ ସୂତ୍ରରୁ ପ୍ରକାଶ । ଜୁନାଗଡ ରୋଡ ରେଲୱେ ମାଧ୍ୟମରେ ଅନେକ ଖାଦ୍ୟ ଶସ୍ୟ ବାହାରକୁ ରପ୍ତାନୀ ହେଉଥିବା ବେଳେ ଅନେକାଂଶରେ ମାର୍କେଟ ଫିଜ ଅସୁଲି ହେଉନଥିବା ସାଧାରଣରେ ଅଭିଯୋଗ ହେଉଥିଲା । ଏପରିକି ଜୁନାଗଡ ଆରଏମସି ମୂଖ୍ୟ ବଜାର ପ୍ରାଙ୍ଗଣରେ ଥିବା ୱେବ୍ରିଜରେ ଓଜନ କରାଯାଊଥିବା ବେଳେ ଆରଏମସିର କିଛି ଲାଭଖୋର କର୍ମଚାରୀ ମାନେ ହାତଗୁଂଜା ନେଇ ସେସବୁକୁ ଛାଡିଦେଉଥିବା ମଧ୍ୟ ଅଭିଯୋଗ ହେଉଥିଲା । ଆରଏମସିର ରାଜସ୍ୱ ଆଦାୟ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିବା ନୂତନ ଭାବେ ଯୋଗ ଦେଇଥିବା ଆରଏମସି ସଂପାଦକ ପ୍ରକାଶ କରୁଥିବା ବେଳେ କର୍ମଚାରୀମାନେ ବାଧ୍ୟ ହୋଇ ମାର୍କେଟ ଫିଜ ଅସୁଲି କରୁଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲାରୁ ବିଭିନ୍ନ ଶସ୍ୟ ବୋଝେଇ ଟ୍ରକ ଆସି ଜୁନାଗଡ ମୂଖ୍ୟ ବଜାର ପ୍ରାଙ୍ଗଣରେ ଥିବା ୱେବ୍ରିଜରେ ଓଜନ କରାଯାଇ ରେଳୱ କୁ ଯାଉଥିବା ବେଳେ ଶନିବାର ଦିନ ୪୬ଟି ଟ୍ରକରେ ଶସ୍ୟ ବୋଝେଇ ହୋଇଥିବା ଟ୍ରକର ଓଜନ କରାଯାଇଥିବା ବେଳେ କେବଳ ୪୧ ଗୋଟି ଟ୍ରକର ମାର୍କେଟ ଫିଜ ଦିଆଯାଇଥିବା ଜଣାପଡିଥିଲା । ସୂଚନା ଯୋଗ୍ୟଯେ, ଜୁନାଗଡ ରୋଡ ରେଳୱେ ମାଧ୍ୟମରୁ ମାଳଗାଡି ପରିବହନ ବ୍ୟବସ୍ଥା ହେବାପରେ ଏଠାରୁ ଅନେକ ସାମଗ୍ରୀ ବାହାରକୁ ପଠାଯାଉଥିବା ଜଣାପଡିଛି ।