ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନ ଜୟନଗର ମୌଜା (ହବିବନଗର)ରେ ଜଣେ ଜୀବିତ ମହିଳାଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ତାଙ୍କ ନାମରେ ଥିବା ଖାତା ନମ୍ବର–୧୧୨୬/୫୮, କିସମ–ଘରବାଡ଼ିର ପ୍ରାୟ ୧୪ ଡିସିମିଲ ଜମି ଓ କୋଠାଘର ଦୁଇ ପୁଅ ନିଜ ନାମକୁ କରାଇ ନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୀଡ଼ିତା ଆଇଶା ବିବି ଧାମନଗର ଥାନାରେ ଦୁଇ ପୁଅ, ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଚାରିଜଣ ସାକ୍ଷୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଆଇଶା ବିବିଙ୍କ ସ୍ୱାମୀ ମୃତ, ୨ପୁଅ ଓ ୬ ଝିଅ ରହିଛନ୍ତି। ଝିଅ ମାନେ ବାହାହୋଇ ଶାଶୁଘରେ, ଆଇଶା ଦୁଇ ବର୍ଷ ପୂର୍ବେ ହଜ ଯାତ୍ରା ପାଇଁ ସାଉଦି ଆରବ ଯାଇଥିଲେ। ସେଠାରୁ ଫେରିବା ପରେ ଦୁଇ ପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ଥିବା ଘରବାଡ଼ି ଜମି ଓ କୋଠାଘର କାଗଜପତ୍ରରେ ତାଙ୍କୁ ମୃତ ଦର୍ଶାଇ ଦୁଇ ପୁଅ ନିଜ ନାମକୁ କରାଇ ନେଇଛନ୍ତି। ଏନେଇ ସେ ବରମ୍ଭାର ନିଜକୁ ଜୀବିତ ଦର୍ଶାଇବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ଦୌଡିଥିଲେ, ହେଲେ କେହି ସୋଣିନଥିଲେ। ପରେ ଭଦ୍ରକର ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ଦ୍ୱାରା ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ୨୦୨୫ ମସିହାରେ ଦୁଇ ପୁଅ ଏକ ଘୋଷଣାନାମା ଦାଖଲ କରି ତାଙ୍କ ମା’ ୪୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଦର୍ଶାଇଥିଲେ। ଏହାକୁ ଆଧାର କରି ଉକ୍ତ ଘରବାଡ଼ି ଜମିର ରେକର୍ଡ ପରିବର୍ତନ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ପ୍ରକାଶ ମଲ୍ଲିକ କ୍ଷେତ୍ର ତଦନ୍ତ ନକରି ମହିଳା ମୃତ ବୋଲି ରିପୋର୍ଟ ଦେଇଥିଲେ। ପୁଅମାନେ ଏହାରି ଆଧାରରେ ନିଜ ନାମକୁ କରିନେଇଥିଲେ। ଏପଟେ ଆଇଶା ବିବି ଆଧାର କାର୍ଡ, ପାସପୋର୍ଟ ସମେତ ବିଭିନ୍ନ ଦସ୍ତାବିଜ ଧରି ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ହୋଇଥିବାବେଳେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜମି ପୁନର୍ବାର ଆଇଶା ବିବିଙ୍କ ନାମକୁ ଫେରାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଜଣେ ଜୀବିତ ମହିଳାଙ୍କୁ କେବଳ ଗୋଟିଏ ଅଫିଡେଭିଟ ଆଧାରରେ ମୃତ ଦର୍ଶାଇ ଜମିର ରେକର୍ଡ ପରିବର୍ତନ କରାଯିବା ଘଟଣା ରାଜସ୍ୱ ବ୍ୟବସ୍ଥାର ତଦନ୍ତ ପ୍ରକ୍ରିୟା ଓ ଦାୟିତ୍ୱବୋଧକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଏନେଇ ଧାମନଗର ରାଜସ୍ୱ ନିରୀକ୍ଷକ ପ୍ରକାଶ ମଲ୍ଲିକ ପଚାରିବାରୁ ସେ ନିଜେ ସ୍ୱୀକାର କରିଛନ୍ତି ଯେ, ଆଇଶା ବିବିଙ୍କ ପୁଅମାନେ ମା’ଙ୍କ ୪୦ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ଦର୍ଶାଇ ଏକ ଅଫିଡେଭିଟ ଦେଇଥିଲେ ଏବଂ ସେ କ୍ଷେତ୍ର ତଦନ୍ତ ନକରି ସେହି ଆଧାରରେ ରିପୋର୍ଟ ଦେଇଥିଲେ। ସେ ଏହାକୁ ନିଜର ଭୁଲ ବୋଲି ସ୍ୱୀକାର କରିବା ସହ ଭଦ୍ରକ ଉପଜିଲ୍ଲାପାଳଙ୍କ କୋର୍ଟରେ ମାମଲା ଚାଲିଥିବା ଏବଂ ଆଇନଗତ ପ୍ରକ୍ରିୟାରେ ଶୀଘ୍ର ଜମି ଆଇଶା ବିବିଙ୍କ ନାମକୁ ଫେରିବ ବୋଲି କହିଛନ୍ତି।