Odiapua.com

ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ, ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ପିଛା ଏକ ହଜାର ଟଙ୍କା

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଓଡ଼ିଶାର ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିବାର ପିଛା ଏକହଜାର ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭ ଶୁଭାରମ୍ଭ ଅବସରରେ ଭଦ୍ରକ ଜିଲ୍ଲା ସ୍ତରୀୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ୍‌ର ଏରେଇଁ ଗ୍ରାମପଞ୍ଚାୟତ ସ୍ଥିତ ଧଳସାହିରେ ଥିବା ମା’ ତାରିଣୀ ସ୍ୱୟଂ ସହାୟିକାଙ୍କ ଦ୍ୱାରା ପରିଚାଳିତ ବଣ୍ଟନ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭଦ୍ରକ ବିଧାୟକ ସଂଞ୍ଜିବ କୁମାର ମଲ୍ଲିକ୍‌, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂପୃକ୍ତ ହିତାଧିକାରୀ ମାନଙ୍କୁ ଏକହଜାର ଟଙ୍କା ଲେଖାଏଁ ବଣ୍ଟନ କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ, କ୍ରୀଡ଼ା, ଶିକ୍ଷା, ରାସ୍ତାଘାଟ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ଘଟାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯୋଜନା ଓ ଅନୁଦାନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣ୍ଣଶଶୀ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଉର୍ମିଳା ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଏହି କାର୍ଯ୍ୟକ୍ରମ ଜରିଆରେ ପରିବାର ପିଛା ଏକହଜାର ଟଙ୍କା ପ୍ରଦାନ ଯୋଜନାର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିବା ସହିତ ଏହି ଯୋଜନାର ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀତା ନେଇ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ୩ଲକ୍ଷ ୨୬ ହଜାର ୧୪ ରେସନ୍‌କାର୍ଡ଼ଧାରୀ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯିବ । ୪୬୯ ଟି ରେସନ ସାମଗ୍ରୀ ବଣ୍ଟନ କେନ୍ଦ୍ର ଜରିଆରେ ଏହି ଅର୍ଥ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି । ଫେବୃୟାରୀ ୨୦ ରୁ ଆରମ୍ଭ ହୋଇଥିବା ଏହି ବଣ୍ଟନ କାର୍ଯ୍ୟକ୍ରମ ଫେବୃୟାରୀ ୨୯ ତାରିଖ ମଧ୍ୟରେ ଶେଷହେବ । ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା, ମହିଳା ମହାସଂଘର ସଭାପତି ତଥା ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା କଳ୍ପଲତା ଦାସ, ବରିଷ୍ଠ ନାଗରିକ ସୂର୍ଯ୍ୟମଣି ନାଥ ଆନୁସଙ୍ଗିକ ସହଯୋଗ କରିଥିଲେ । ପୂର୍ବତନ ସରପଞ୍ଚ ରତ୍ନାକର ସାମଲ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ୫ନଂ ୱାର୍ଡ଼ର କାଉନ୍‌ସିଲର ଦିଲ୍ଲୀପ ନାୟକ ଓ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକ ମଧ୍ୟ ଏହି କାଯ୍ୟଁକ୍ରମରେ ଉପସ୍ଥିତ ଥିଲେ ।