ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଓଡିଶା ମିଶନ ଶକ୍ତି ଦ୍ୱାରା ପରିଚାଳିତ ଜୀବିକା ମିଶନ ବ୍ଲକ ସଂଯୋଜିକା ସୀମାରାଣୀ ପଣ୍ଡା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠିଭୁକ୍ତ ମହିଳାମାନେ ବୁଧବାର ବ୍ଲକ ପରିସରରେ ିବିଡିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ ଚେତାବନୀ ଦେଇଥିବା ଜଣାଯାଇଛି। ଗତ ୨ ବର୍ଷ ପୂବେ ପଞ୍ଚାୟତସ୍ତରୀୟ ସଂଘ ଗଠନ କରାଯାଇ ସଭାନେତ୍ରୀ ଚୟନ କରାଯାଇଛି। ସଭାନେତ୍ରୀ ସାଧନ ସମ୍ବଳ ବ୍ୟକ୍ତି(ସି.ଆର.ପି.)ଙ୍କୁ ନିଯୁକ୍ତ କରି ପ୍ରଶିକ୍ଷଣପ୍ରାପ୍ତ କରାଇଛନ୍ତି। ମାତ୍ର ଜମାଖାତା ଖୋଲାଯାଉ ନଥିବାରୁ ସଂଘ ଓ ଗୋଷ୍ଠୀ କୌଣସି ସୁବିଧା ହାସଲ କରି ପାରୁନଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସଂଯୋଜିକା ଶ୍ରୀମତୀ ପଣ୍ଡାଙ୍କୁ ବାରମ୍ବାର ଜଣାଯାଉଛି। ପ୍ରତ୍ୟେକ ଥର ସେ ଟାଳଟୁଳ ନୀତିରେ କଥା କହି ଫେରାଇ ଦେଉଛନ୍ତି। ଏହାର ପ୍ରତିବାଦ କରି ଓମ ସାଈ ଏସଏସଜିର ସଭାନେତ୍ରୀ ଅନ୍ନପୂର୍ଣ୍ଣା ଜେନା ଓ ରଞ୍ଜିତା ଜେନାଙ୍କ ନେତୃତ୍ୱରେ ସଦସ୍ୟାମାନେ, ସାଈ ସ୍ୱରୂପା ଏସଏସଜିର ସଭାନେତ୍ରୀ ଇତିଶ୍ରୀ ଦାସଙ୍କ ନେତୃତ୍ୱରେ ସଦସ୍ୟାମାନେ, ମା’ତାରେଶୀ ଏସଏସଜିର ସଭାନେତ୍ରୀ ମମତା ଜେନା ଓ ସୁଭଦ୍ରା ଜେନାଙ୍କ ନେତୃତ୍ୱରେ ସଦସ୍ୟାମାନେ, ଗଜଲକ୍ଷ୍ମୀ ଏସଏସଜିର ସଭାନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ସଦସ୍ୟାମାନେ, ଜୟଜଗନ୍ନାଥ ଏସଏସଜି ସଭାନେତ୍ରୀ ବାସନ୍ତି ପରିଡାଙ୍କ ନେତୃତ୍ୱରେ ସଦସ୍ୟାମାନେ ଅଭିଯୋଗପତ୍ର ବିଡିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରିଥିଲେ। ଏହି ସମସ୍ୟାର ସମାଧାନ ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ବ୍ଲକ ସଂଯୋଜିକା ଶ୍ରୀମତୀ ପଣ୍ଡା ସବୁକିଛି ଠିକ ଚାଲିଛି ବୋଲି ମତ ରଖିଛନ୍ତି।