Odiapua.com

ଜୀବିକା ଦେଇଛି ମହୁଲ, ମିଳୁନି ଉଚିତ ମୂଲ୍ୟ

ବଡ଼ବିଲ ୧୯/୪ (ଓଡିଆ ପୁଅ/ସିତାରାମ ଦିକ୍ଷୀତ) ବଣଜଙ୍ଗଲ ବହୁ ପ୍ରକାର ଖାଦ୍ୟ ଯୋଗାଇଦେଇଥାଏ। ବର୍ଷ ତମାମ ବିଭିନ୍ନ ପ୍ରକାରର ଫଳ, ଫୁଲ, ପତ୍ର ତଥା ଅନ୍ୟାନ୍ୟ ଖାଦ୍ୟ ଓ ବନଜାତ ଦ୍ରବ୍ୟ ଯୋଗାଇଥାଏ। ତନ୍ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଏହି ପ୍ରକୃତି ଦତ୍ତ ଫୁଲ ବନବାସୀଙ୍କ ଜୀବନଜୀବିକାର ସାଧନ ହୋଇଥିବା ବେଳେ ଏଥିରୁ ସରକାର ବହୁ ରାଜସ୍ବ ପାଇଥାନ୍ତି। ବିନା ଖର୍ଚ୍ଚରେ ଓ ବିନା ଅର୍ଥ ଲଗାଣରେ ମହୁଲ ଫୁଲ ଅନେକଙ୍କୁ ଜୀବିକା ନିର୍ବାହରେ ସହାୟକ ହୋଇଥାଏ। ବିଶେଷ କରି ଏହି ଋତୁରେ କେନ୍ଦୁଝର ଜିଲାର ବଣଜଙ୍ଗଲ, ବାଡିବଗିଚା, ପାହାଡରେ ଥିବା ମହୁଲ ଗଛରେ ଫୁଲ ଫୁଟିଥାଏ। ଏହାକୁ ସଂଗ୍ରହ କରି ଓ ବଜାରରେ ବିକ୍ରୀ ଜିଲାରେ ବହୁ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି।

ସକାଳୁ ସକାଳୁ ଟୋକେଇ, ଡାଲା, ବ୍ୟାଗ ଆଦି ଧରି ପିଲାଠାରୁ ଆରମ୍ଭ କରି ବୁଢାବୁଢୀ ପର୍ଯ୍ୟନ୍ତ ପାଖ ଜଙ୍ଗଲ ଓ ବାଡ଼ିବଗିଚା ଯାଇ ସଂଗ୍ରହ କରିଥାନ୍ତି। ଏହାକୁ ଆଣି ଘର ଅଗଣାରେ ଶୁଖାଇ ରଖି ବଜାରରେ ବିକ୍ରି କରିଥାନ୍ତି। ଅନେକ ଏହାକୁ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି। ଏହା ବହୁତ ସୁସ୍ବାଦୁ ଏଣୁ ଏଥିରେ ପିଠା କରି ବା ଭାଜି ଖାଇଥାନ୍ତି। ଏହି ଦିନରେ ସଂଗ୍ରହ କରିଥିବା ମହୁଲକୁ ଶୁଖାଇ ହାଟ ବଜାରରେ ବିକି ବେଶ୍‌ଦୁଇ ପଇସା ପାଇଥାନ୍ତି। ତେବେ ସଚେତନତାର ଅଭାବ ଯୋଗୁ ଅନେକ ସମୟରେ ଠାକାମିର ଶିକାର ହୋଇଥାନ୍ତି। ପଞ୍ଚାୟତି ବିଭାଗ ଏହାର ଦରଦାମ ନିର୍ଦ୍ଧାରଣରେ ବିଳମ୍ବ କରୁଥିବାରୁ ଏବଂ ଏହାର ଉପଯୁକ୍ତ ପ୍ରଚାର ପ୍ରସାର କରାଯାଉନଥିବାରୁ ବନବାସୀ ମାନେ କମ୍‌ଦରରେ ବେପାରୀମାନଙ୍କୁ ବିକିବାକୁ ବାଧ୍ୟ ହୋଇଥାନ୍ତି। ଫଳରେ ବେପାରୀ ମାଲାମାଲ ହେଉଥିବା ବେଳେ ସଂଗ୍ରହ କରୁଥିବା ବନବାସୀ ସେଭଳି ଲାଭ ପାଇପାରୁ ନ ଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ କେନ୍ଦୁଝର ଜିଲାର ଜଙ୍ଗଲ ଭରପୂର ବାଂଶପାଳ, ତେଲକୋଇ, ସଦର, ପାଟଣା, ହରିଚନ୍ଦନପୁର, ଝୁମ୍ପୁରା, ଘଟଗାଁ, ଯୋଡ଼ା ଆଦି ବ୍ଲକ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ମହୁଲ ଗଛ ରହିଛି। ଏହାକୁ ବିକି ତେଲ, ଲୁଣ ଓ ଲୁଗାପଟା କିଣି ପରିବାର ଗୁଜୁରାଣ କରିବା ସହ ବନବାସୀମାନେ ବର୍ଷ ତମାମ ଚଳନ୍ତି। ତେବେ ପରିଶ୍ରମ ଅନୁଯାୟୀ ପ୍ରାପ୍ୟ ମିଳିଲେ ଲାଭବାନ ହୋଇପାରନ୍ତେ ବୋଲି ଆଦିବାସୀ ନେତା ସୁବର୍ଣ୍ଣ ନାୟକ କହିଛନ୍ତି। ମହୁଲ ସଂଗ୍ରହ ପାଇଁ ବେପାରୀଙ୍କୁ ଲାଇସେନ୍ସ କରିବାକୁ ପଡ଼େ। କିନ୍ତୁ ଅନେକ ସମୟରେ ବେଆଇନ ଭାବେ ମହୁଲ ସଂଗ୍ରହ ଓ ଚାଲାଣ ହୋଇଥାଏ। ଖଣିଖାଦାନ ସାଙ୍ଗକୁ ନୂତନ ବନୀକରଣ କରାଯାଉ ନ ଥିବାରୁ ପ୍ରାକୃତିକ ଜଙ୍ଗଲ ସାଙ୍ଗକୁ ମହୁଲ ଗଛ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାକୁ ବସିଛି। କୃତ୍ରିମ ବନୀକରଣରେ ମହୁଲ ଗଛକୁ ସାମିଲ କରାଯାଉନଥିବାରୁ ଏହି ଗଛ ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ବାଂଶପାଳ ଅଞ୍ଚଳର ଅଧିବାସୀ ପଞ୍ଚାନନ ଖମାଣିଆ ମତବ୍ୟକ୍ତ କରିଛନ୍ତି।ମହୁଲ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଏଥିପାଇଁ ସରକାରୀ କଟକଣା ରହିଛି। ଏହାର ଦରଦାମ୍‌ନିର୍ଦ୍ଧାରଣ କରାଯାଇ ସଂଗ୍ରହକାରୀଙ୍କୁ ସୂଚିତ କରାଯାଇଥାଏ ବୋଲି ଅତିରିକ୍ତ ଜିଲାପାଳ ଡ. ଭକ୍ତ ଚରଣ ପ୍ରଧାନ କହିଛନ୍ତି।