Odiapua.com

ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା, ଗାଁ ଗାଁ ବୁଲି ସର୍ଭେ ବେଳେ ଟଳିପଡିଲେ ଅଙ୍ଗନଓ୍ବାଡି କର୍ମୀ

ବଡ଼ବିଲ ,ତା ୦୫ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝରର ଜଣେ କୋରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ । ହେଲେ ଏହି ସମୟରେ କୋରୋନା ଯୋଦ୍ଧାମାନେ ନିଜ ପରିବାରକୁ ଛାଡି ନିଜ ଜୀବନକୁ ବାଜି ଲଗାଇ ଜନତାଙ୍କର ସେବା କରିବାରେ ଲାଗି ପଡିଛନ୍ତି । ଏହିପରି ଜଣେ କରୋନା ଯୋଦ୍ଧା ଜନତାଙ୍କର ସେବା କରୁଥିବା ବେଳେ ଟଳି ପଡିଥିଲେ । ଫଳେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କର ପରିବାର ଲୋକଙ୍କ କହିବା ଅନୁସାରେ, ଯୋଡା ବ୍ଲକର ବିଲେଇପଦା ଅଙ୍ଗନଓ୍ବାଡି କର୍ମୀ ରୁକ୍ମୁଣୀ ମହାନ୍ତ ସୋମବାର ସକାଳେ ସହାୟିକାଙ୍କ ସହ ତାଙ୍କ ଅଞ୍ଚଳରେ ମଶାରୀ ବଣ୍ଟନ ପାଇଁ ସର୍ଭେ ସହ ଅଣ୍ଡା ବଣ୍ଟନ କରୁଥିବା ସମୟରେ ହଠାତ୍ ଟଳି ପଡିଥିଲେ । ପ୍ରଥମେ ତାଙ୍କୁ ଚମ୍ପୁଆସ୍ଥିତ ଏକ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଅକ୍ଳାନ୍ତ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି ।