Odiapua.com

ଜୀବନ ବୀମା ନିଗମ ଘରୋଇ କରଣକୁ ପ୍ରତିବାଦ କରି ଦେଶବ୍ୟାପୀ ଦିନିକିଆ ଧର୍ମଘଟ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ଦେଶ ବ୍ୟାପି ରାଷ୍ଟ୍ରାୟତ୍ତ ଶିଳ୍ପ ସମେତ ଲାଭରେ ଚାଲୁଥିବା ଜୀବନ ବୀମା ନିଗମକୁ ଘରୋଇ କରଣ ଓ ଆଇ.ପି.ଓ. ଜରିଆରେ ନିଗମର ଅଂଶଧନ ବିକ୍ରି କରୁଥିବା କେନ୍ଦ୍ର ସରକାରଙ୍କ ନୀତିକୁ ପ୍ରତିବାଦ କରି ଆଜି ଦେଶ ବ୍ୟାପି ବୀମା ଶିଳ୍ପର କାର୍ଯ୍ୟରତ ଅଫିସରଙ୍କ ଠାରୁ ଆରମ୍ଭ କରି ୪ର୍ଥ ଶ୍ରେଣୀ, ୩ୟ ଶ୍ରେଣୀ କର୍ମଚାରୀ ଓ ଏଜେଣ୍ଟ ସଂଘଙ୍କ ଦ୍ୱାରା ଗଠିତ ମଳିତ ମଞ୍ଚ ତରଫରୁ ଭଦ୍ରକ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧ ଘଟିକାରୁ ଅପରାହ୍ଣ ୫ ଘଟିକା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭା ନବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଟୁ ନେତା ଦିବ୍ୟସିଂହ ନାୟକ, କାର୍ତ୍ତିକ କୁମାର ଦାସ, ମନୋଜ କୁମାର ଜେନା, ପ୍ରତାପ ପଟ୍ଟନାକ, ଗଙ୍ଗାଧର ତ୍ରିପାଠୀ, କୁନି ମୁଣ୍ଡା, କାଳନ୍ଦୀ ପାତ୍ର, ଶ୍ରମିକ ନେତା ରାଧା ଦାସ, ଗୋବର୍ଦ୍ଧନ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି କରୋନା ମହାମାରୀରେ ଦେଶବାସୀ ଆତଙ୍କିତ ଥିବା ବେଳେ କେନ୍ଦ୍ର ସରକାର ଦରଦାମ ବୃଦ୍ଧି ସାଙ୍ଗକୁ ରାଷ୍ଟ୍ରାୟତ୍ତ ଶିଳ୍ପକୁ କର୍ପୋରେଟ କମ୍ପାନୀକୁ ବିକ୍ରି କରି, ଲାଭକାରୀ ସଂସ୍ଥା ଜୀବନ ବୀମା ନିଗମକୁ ଘରୋଇ କରଣ କରିବାକୁ ନିଷ୍ପତି ନେବା ଅତ୍ୟନ୍ତତ ଦୁର୍ଭାଗ୍ୟଜନକ । ଏହି ସଂସ୍ଥାରେ ଶତକଡ଼ା ୪୯ ପ୍ରତିଶତ ଭାଗରୁ ୭୪ ପ୍ରତିଶତ ବଦେଶୀ ପୁଞ୍ଜି ନିବେଶ କରିବା ପାଇଁ ସରକାର ନେଉଥିବା ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଥିଲା । ଏହା ବିରୁଦ୍ଧରେ ସମଗ୍ର ଦେଶବାସୀ ସୁରୋତ୍ତଳନ କରିବାକୁ ସଭାରେ ଆହ୍ୱାନ ଦିଆଯାଇଥିଲା । ତୁରନ୍ତ କେନ୍ଦ୍ର ସରକାର ନୀତି ପରିବର୍ତ୍ତନ ନକଲେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଥିଲା ।