Odiapua.com

‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୪/୧୦ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅକ୍ଟୋବର ୧୬ ତାରିଖରେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଜୁ ଜନତା ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଶୀର୍ଷକ ପାଲଟିଛନ୍ତି। ଜନସାଧାରଣଙ୍କ ଅକୁଣ୍ଠିତ ସଦିଚ୍ଛା ତାଙ୍କ ପଛରେ ଅଛି, ଯାହାକୁ ଆଧାର କରି ସେ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେଉଛନ୍ତି। ଲୋକମାନଙ୍କ ଶ୍ରଦ୍ଧାକୁ ସାମାଜିକ ସେବା ଓ ପ୍ରତିବଦ୍ଧତାରେ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବହୁ ସଂଖ୍ୟାରେ ଲୋକମାନେ ବିଶେଷକରି ଯୁବକ-ଯୁବତୀ, ଛାତ୍ରଛାତ୍ରୀ, ମହିଳା ଏଥିରେ ଯୋଗଦାନ କରି ଭିନ୍ନ ଭାବରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରକ୍ତଦାନ ନିମନ୍ତେ ଆଗ୍ରହ ପ୍ରକାଶ କରିବା ପାଇଁ ସ୍ୱତଃସ୍ଫୂର୍ତ୍ତ ଉତ୍ସାହଜନକ ହୋଇଛି। ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ କୁମାର ନାୟକ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରାଜ୍ୟର ଜନସାଧାରଣଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଆସୁଛନ୍ତି। ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ।