Odiapua.com

ଜୀବନବିନ୍ଦୁ ରକ୍ତଦାନ ଶିବିର ବନ୍ଦ ହେଲା କାହାସ୍ୱାର୍ଥରେ

କେନ୍ଦ୍ରାପଡା ୩୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ଆମ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ଗୈାରୀଶଙ୍କର ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ଦୂର୍ଘଟଣାଗ୍ରସ୍ତ, ଜୀବନରକ୍ଷା ନିମନ୍ତେ ଜରୁରୀ ଆବଶ୍ୟକଥିବା ରୋଗୀ ଏବଂ ଥାଲାସେମିଆ ରୋଗୀମାନଙ୍କ ପାଇଁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ପୋଲିସ ଓ ପ୍ରଶାସନ ନିକଟରୁ ଏଥି ନିମନ୍ତେ ଅନୁମତି ମଧ୍ୟ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, କେନ୍ଦ୍ରାପଡା ଲୋକସଭା ସାସଂଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିନିମନ୍ତେ ହୋଟେଲର ଏକ ନର୍ଦ୍ଧିଷ୍ଠ ଗୃହକୁ ସାନିଟାଇଜ କରାଯିବା ସହ ବେଡ ପକାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ରକ୍ତଦାତାମାନେ ମଧ୍ୟ ସେହି ସ୍ଥାନରେ ପହଁଚି ସାରିଥିଲେ। ଏହି ଶିବିରରେ ଶତାଧିକ ରକ୍ତଦାତା ରକ୍ତଦାନ କରିବାର ସମ୍ଭାବନା ମଧ୍ୟ ଥିଲା। କିନ୍ତୁ ହଠାତ ସେହିସ୍ଥାନରେ ସଦର ଥାନା ପୋଲିସ ପହଁଚି କହିଥିଲା ଯେ ଏହା କଂଟେନମେଂଟ ଯୋନ ଭାବେ ଘୋଷଣା କରାଯାଇଛି। କାରଣ ନିକଟରେ କଜଳାସ୍ଥିତ ଅର୍ବାନବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରୁ ବାହାରିଥିବା କରୋନା ପଜିଟିଭ ରୋଗୀ ଏହି ହୋଟେଲର ଜଣେ କର୍ମଚାରୀ। ସେଠାରେ ଉପସ୍ଥିତ ଯୁବ ଆୟୋଜକମାନେ ପୋଲିସକୁ କହିଥିଲେ ଯେ କଜଳାରେ ବାହାରିଥିବା କରୋନା ପଜିଟିଭ ଜଣଙ୍କ ଏହି ହୋଟେଲର କର୍ମଚାରୀ ନୁହଁନ୍ତି। କିମ୍ବା ଏହି ହୋଟେଲ ଅଂଚଳକୁ ପ୍ରଶାସନ ପକ୍ଷରୁ କଂଟେନମେଂଟ ଯୋନ ଭାବେ ଘୋଷଣା କରାଯାଇନାହିଁ। କିନ୍ତୁ ପୋଲିସ ସେମାନଙ୍କର କୈାଣସି କଥା ନଶୁଣି ଜୀବନବିନ୍ଦୁ ରକ୍ତଦାନ ଶିବିରକୁ ବନ୍ଦ କରିବା ପାଇଁ ଆୟୋଜକମାନଙ୍କୁ ବାଧ୍ୟ କରିଥିଲା। ଶେଷରେ ଆୟୋଜକମାନେ ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ପଚାରିବାରେ ସେ ମଧ୍ୟ ଆଜି ପାଇଁ ଏହି ରକ୍ତଦାନ ଶିବିରକୁ ବନ୍ଦ କରିଦେବା ପାଇଁ ନିର୍ଦେଶ ଦେଇଥିଲେ। କିଛିଦିନ ଛାଡି ରକ୍ତଦାନ ଶିବିର କର ମୁଁ ସେଥିରେ ଯୋଗଦେବି ବୋଲି ଜିଲ୍ଲାପାଳ କହିଥିଲେ। କିନ୍ତୁ ଶିବିର ବନ୍ଦ କରିବାର କାରଣ ସମ୍ପର୍କରେ ସେ କିଛି କହିନଥିଲେ। ଆୟୋଜକମାନଙ୍କ ଅଭିଯୋଗ ଅନୁଯାଇ ଜିଲ୍ଲାର ୨ଜଣ ବିଧାୟକଙ୍କ ପ୍ରବଳ ଚାପରେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଏହି ରକ୍ତଦାନ ଶିବିରକୁ ବନ୍ଦ କରିଦେଇଛି। ଜିଲ୍ଲାର ଜନୈକ ଯୁବ ବିଜେଡି ସଂଗଠନରେ ଥିବା ଯୁବକ ଏହି ରକ୍ତଦାନ ଶିବିରକୁ ବନ୍ଦ କରିବା ପାଇଁ ପ୍ରୟାସ ଚଳେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏକ ହୀନ ରାଜନୈତିକ ସ୍ୱାର୍ଥ ହାସଲ ଓ ମନ୍ଦ ଉଦେଶ୍ୟପ୍ରଣୋଦିତ ହୋଇ ଚକ୍ରାନ୍ତ କରାଯାଇ ସମାଜ ପାଇଁ କରୋନା ମହାମାରୀ ସମୟରେ ନିତ୍ୟାନ୍ତ ଆବଶ୍ୟକଥିବା ଜୀବନବିନ୍ଦୁ ରକ୍ତଦାନ ଶିବିରକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ରାଜନୈତିକ ଉଦେଶ୍ୟରେ କରାଯାଇଥିବା ଏଭଳି ହୀନ ଉଦ୍ୟମକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଓ ଆହ୍ୱାନ କ୍ରମେ କେନ୍ଦ୍ରାପଡାରେ ସାଧାରଣ ଜନତା ଏବଂ ଗରୀବ ଲୋକମାନଙ୍କ ଆବଶ୍ୟକତାକୁ ପୁରଣ କରିବା ନିମନ୍ତେ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିରକୁ କାହା ନିର୍ଦେଶରେ ଏବଂ କାହା ସ୍ୱାର୍ଥରେ ବନ୍ଦ କରିଦିଆଗଲା । ମୁଖ୍ୟମନ୍ତ୍ରୀଙ୍କ ଉପରେ ସେହି ବ୍ୟକ୍ତି ଜଣଙ୍କ ବା ବ୍ୟକ୍ତିମାନେ କିଏ । ଆୟୋଜକମାନଙ୍କ ପକ୍ଷରୁ ବିଜୁ କୃଷକ ଜନତାଦଳ ଜିଲ୍ଲା ସଭାପତି ସୈାମେନ୍ଦ୍ର ଦାସ, ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ଛାତ୍ରନେତା ଦେବଜ୍ୟୋତି ରଥ, ରାଜେନ୍ଦ୍ର ମହାପାତ୍ର, ବିକ୍ରମକେଶରୀ ବାରିକ, ସୈାମ୍ୟରଞ୍ଜନ ସିଂ, ଗୈାତ୍ତମ ସ୍ୱାଇଁ, ରାକେଶ ମହାପାତ୍ର, ବିଭୁ ପ୍ରସାଦ ଜେନା, ସୁଦାମ ସାହୁ, ଦେବାଶିଷ ପଣ୍ଡା, ସୁଧିର ଦାସ, ଶିବାନୀ ଶଙ୍କର ନାୟକ, କଂସାର ପଂଚାୟତର ପୂର୍ବତନ ସରପଂଚ ଅମୀୟ ସେଠୀ, ରାଜେନ୍ଦ୍ର ସାହୁ ପ୍ରମୁଖ ଏହି ଘଟଣାର ନିନ୍ଦା କରିବା ସହିତ ଏଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।