Odiapua.com

ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘର ବାର୍ଷିକୋତ୍ସବ, ବରିଷ୍ଠମାନେ ସମାଜ ପାଇଁ ଦିଗ୍‌ଦର୍ଶକ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁଗେଯୁଗେ ବରିଷ୍ଠ ମାନେ ନମସ୍ୟ, ବରିଷ୍ଠ ମାନେ ନିଜ ନିଜର ବୃତିରୁ ଅବସର ନେଇଥିଲେ ମଧ୍ୟ ସମାଜ ପାଇଁ ସେମାନଙ୍କ ଦିଗ୍‌ଦର୍ଶନ ସବୁ ସମୟରେ ରହିଛି ଆଉ ରହି ଆସିଥିବ ମଧ୍ୟ। ପୂର୍ବରୁ ବରିଷ୍ଠ ନାଗରିକଙ୍କ ଜୀବନଶୈଳୀ ଅପେକ୍ଷା ବର୍ତମାନ ଚିକିତ୍ସା ବିଜ୍ଞାନର ଉନ୍ନତି ବଳରେ ବରିଷ୍ଠ ମାନେ ଶତାୟୁ ହୋଇପାରିଛନ୍ତି ବୋଲି ଆଜି ଭାଗବତ କଲ୍ୟାଣ ମଣ୍ଡପରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ୫ମ ବାର୍ଷିକ ସମାରୋହରେ ବକ୍ତମାନେ ମତବ୍ୟକ୍ତ କରିଛନ୍ତି। ମୁଖ୍ୟ ଅତିଥି ଜିଲାପାଳ ଦିଲ୍ଲୀପ ରାଉତରାଏ ମହାସଂଘର ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସଦର ମହକୁମାରେ ଖୁବ୍ ଶୀଘ୍ର ଘରଟିଏ ଯୋଗାଇ ଦେବେ ବୋଲି ପ୍ରକାଶ କରିବା ସହିତ ଗେଲପୁର ମେଡିକାଲରେ ବରିଷ୍ଠଙ୍କ ଚିକିତ୍ସା ପାଇ ସ୍ୱତନ୍ତ୍ର ସେବା, ବ୍ୟାଙ୍କରେ ବରିଷ୍ଠ ମାନେ ଯେପରି ସୁରୁଖୁରୁରେ ସେବା ପାଇବେ, ଆଞ୍ଚଳିକ ବରିଷ୍ଠ ନାଗରିକମାନଙ୍କୁ ଉତମ ନ୍ୟାୟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଥିଲେ। ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ବରେଣ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ ବରିଷ୍ଠଙ୍କ ପାଇଁ ଜିଲ୍ଲାର ସମସ୍ତ ହସ୍ପିଟାଲରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଉପଲବ୍ଧ ପାଇଁ ଯତ୍ନଶୀଳ ଅଛନ୍ତି, ଗେଲପୁର ନୂଆ ମେଡିକାଲରେ ପଞ୍ଜିକରଣ, ନିରାମୟ, ନିଦାନ ବିଭାଗରେ ସମସ୍ତ ସୁବିଧା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ। ବିଶିଷ୍ଟ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ସମାଜରେ ବରିଷ୍ଠ ମାନେ ପରିବାର ପାଇଁ ଅଳ୍ପ ସମୟ ଦେଇ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ କରିବା ସାଙ୍ଗକୁ ସଂଚିତ ଅର୍ଥରୁ ନିଃସହାୟ ଗରିବଙ୍କ ସେବାରେ ବିନିଯୋଗ କଲେ ଜୀବନ ସାର୍ଥକ ହେବ ବୋଲି କହିଥିଲେ। ଡା. ରବୀନ୍ଦ୍ର କୁମାର ନାୟକ ସନ୍ତୁଳିତ ଆହାର, ଯୋଗ, ପ୍ରାଣାୟାମ, ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ବରିଷ୍ଠଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ମହାସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଜିଲ୍ଲାର ସମସ୍ତ ପଚିଶ ଗୋଟି ଆଂଚଳିକ ସଂଘର କର୍ମକର୍ତା ଓ ମହାସଂଘର ସଦସ୍ୟ ସଦସ୍ୟାମାନଙ୍କୁ ନୂଆବର୍ଷର ଅଭିନନ୍ଦନ ସହ ତାଙ୍କର ସମ୍ପାଦକୀୟ ବିବରଣୀ ମାଧ୍ୟମରେ ପୋଲିସ ପ୍ରଶାସନ ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ, ମହାସଂଘ ପାଇଁ ସଦର ମହକୁମାରେ କାର୍ଯ୍ୟାଳୟ ପାଇଁ ଗୃହ ପ୍ରଦାନ, ଗୃହ ନଥିବା ଆଂଚଳିକ ସଂଘକୁ ସରକାରୀ ଅନୁଦାନରେ ଗୃହ ପ୍ରଦାନ, ବିଶେଷ କରି ବ୍ୟାଙ୍କ ଓ ତହସିଲରେ ଉତମ ସେବା ପ୍ରଦାନ, ମେଡିକାଲ ମାନଙ୍କରେ ଉତମ ଚିକିତ୍ସା ସେବା ଆଦି ଯୋଗାଇବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ମହାସଂଘର ମୁଖପତ୍ର ‘ବରିଷ୍ଠ’ ଅତିଥିଙ୍କ ଦ୍ୱାରା ଲୋକାର୍ପଣ କରା ଯାଇଥିଲା। ଶ୍ୟାମ ସୁନ୍ଦର ଦାଶ, ଡା. ସୁଧାକର ଖଟୁଆ, ଗୋଲକ ଚନ୍ଦ୍ର ମହାନ୍ତି, ଉଦୟନାଥ ମହାନ୍ତି, ହରେକୃଷ୍ଣ ସାହୁଙ୍କୁ ବରିଷ୍ଠ ନାଗରିକ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ଅଧିକାରିଣୀ ମଧୁସ୍ମିତା ସାହୁଙ୍କୁ ଉତ୍କର୍ଷ ସେବା ସମ୍ମାନରେ ସମ୍ମାନିତ କରାଯିବା ସହିତ କାଶୀନାଥ ସାହୁଙ୍କୁ ସ୍ୱତନ୍ତ୍ର ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ମହାସଂଘର ଉପଦେଷ୍ଟା ଅଜୟ କୁମାର ନାୟକ ସଭା ସଂଚାଳନ କରିଥିଲେ। ଲକ୍ଷ୍ମଣ କୁମାର ମହାନ୍ତି, ବିଜୟ କୁମାର ସେନାପତି, ଶଶିକାନ୍ତ ପାଢ଼ୀ, ବାବୁଲାଲ ଦାସ, ଇଂ ଅଖିଳ ମୋହନ ପାଢ଼ୀ, ଶାନ୍ତନୁ ରାଉତ, କୈଳାଶ ପଣ୍ଡା, ସଚିକାନ୍ତ ପଣ୍ଡା, ଶ୍ୟାମ ସୁନ୍ଦର ଦାସ, ବିଭୁତି ସେନାପତି, ବୈଲୋଚନ ବେଉରିଆ, ଅଜିତ ନାୟକ, ମୁକ୍ତିକାନ୍ତ ମହାପାତ୍ର, ବାଦଲ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଇଂ. ମହେଶ ପ୍ରସାଦ ଦାସ, ପୁରୁଷୋତମ ଧଳ, ଡା. ହକିମୁଦିନ ଖାଁ, ରାଧାରାଣୀ ମହାପାତ୍ର, ଉତ୍ପଳା ନାୟକ, ଦଶରଥ ପଣ୍ଡା, ଭାଗିରଥି ବେହେରା, ଗୀତାରାଣୀ ଆଇଚ ସହଯୋଗ କରିଥିଲେ। ପଦ୍ମନ କୁମାର ରାୟ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।