Odiapua.com

ଜିଲ୍ଳା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଭର୍ଚୁଆଲ ପଦ୍ଧତିରେ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷର ଆଲୋଚ୍ୟ ବିଷୟ ‘କୋବିଡ଼-୧୯ ସମୟରେ ଗଣାମାଧ୍ୟମର ଭୂମିକା’ ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ । କରୋନା ମହାମାରୀ ସମୟରେ ଲୋକେ ଯେତେବେଳେ ଘରେ ନିଜକୁ ସୁରକ୍ଷିତ ରଖିଥିଲେ ସେତେବେଳେ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ତୁଚ୍ଛ ମଣି ଖବର ପ୍ରସାରଣ କରିବାକୁ ଗୁରୁତ୍ୱଦେଇ କାର୍ଯ୍ୟ ନିର୍ବାହ କରିଛନ୍ତି । ରାଜ୍ୟ ସରକାର ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ଭାବେ ପରିଗଣିତ କରିଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ ବହୁ କରୋନା ଆକ୍ରାନ୍ତ ରହିଥିବା ଜାଣି ମଧ୍ୟ ଗଣମାଧ୍ୟମର ପ୍ରତିନିଧିମାନେ କେନ୍ଦ୍ର ଭିତରକୁ ଯାଇ ଖବର ସଂଗ୍ରହ କରିଛନ୍ତି । ବାସ୍ତବରେ ସେମାନେ ପ୍ରଶଂସାର ପାତ୍ର ବୋଲି ଡ. ଦାସ କହିଥିଲେ । କରୋନା ସମୟରେ ମୁଦ୍ରିତ ଗଣମାଧ୍ୟମ ବହୁ କ୍ଷତି ସହିଛି । ବହୁ ଅଞ୍ଚଳକୁ ଖବରକାଗଜ ପଠାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ପାରି ନାହିଁ । ବାଧ୍ୟ ହୋଇ ବହୁ ଖବର କାଗଜ ମାଲିକ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ କାଗଜ ପ୍ରକାଶ କରିଛନ୍ତି । କେତେକ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ଜଳାଞ୍ଜଳି ଦେଇ ପରଲୋକ ଗମନ କରିଛନ୍ତି । କରୋନା ସବୁ କିଛି ବିଗାଡି ଦେଇଛି । ତେବେ ଗଣମାଧ୍ୟମ ଦାୟିତ୍ୱର ସହ ଜନସାଧାରଣଙ୍କୁ ଉଚିତ ସଚେତନ କରି ପାରିଥିବାରୁ କରୋନା ସାମାନ୍ୟ ନିୟନ୍ତ୍ରଣକୁ ଆସି ପାରିଛି । କରୋନା ଦ୍ୱିତୀୟ ପର୍ଯ୍ୟାୟ ଆମ୍ଭମାନଙ୍କ ପ୍ରତି ଏକ ଚ୍ୟାଲେଞ୍ଜ ହୋଇଥିବାରୁ ଏହାର ପ୍ରଚାର ପ୍ରସାରକୁ ଅଧିକ ଶାଣିତ କଲେ ଜନସାଧାରଣ ଅଧିକରୁ ଅôଧକ ସଚେତନ ବେହା ସହିତ ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖି ପାରିବେ ବୋଲି ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କ ପୌରୋହିତ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ମିଟିଂରେ ସାମ୍ବାଦିକ ଗୌରହରି ନାୟକ, ତପନ କୁମାର ମିଶ୍ର, ଅଶୋକ କୁମାର ନାୟକ, ଚାରୁଦତ୍ତ ନାୟକ ପ୍ରମୁଖ ଭାଗ ନେଇ ବକ୍ତବ୍ୟ ରଖିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀଯୁକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫ରୁ ଅଧିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।