Odiapua.com

ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୭୮ ତମ ସ୍ୱାଧୀନତା ଦିବସ-୨୦୨୪ କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ଉଚ୍ଚ ପ୍ରଶାସନିକ ଅଧିକାରୀଭାବେ ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଏସ୍‌.ପି. ବାମଦେବ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ଆବାହକ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ବିଗତ ବର୍ଷର ପାଳନ ବିବରଣୀ ଉପସ୍ଥାପନ ଆଧାରରେ ବୈଠକରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଉକ୍ତ ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୂନ ପରିକ୍ରମା, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରଭାତଫେରୀ, ସକାଳ ୭.୩୦ ଟା ସୁଦ୍ଧା ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତୋଳନ, ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ସକାଳ ୯.୧୫ ରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇ ପ୍ୟାରେଡ଼, ସାଂସ୍କୃତିକ ଓ ପୁରସ୍କାର ବିତରଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ଆଲୋଚନା ମତେ ସ୍ଥିର କରାଯାଇଥିଲା । ପ୍ୟାରେଡ଼ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନକରି, ରୋଗୀମାନଙ୍କ ମଧ୍ୟରେ ଫଳବଂଟନ କରିବେ । ଜିଲ୍ଲା ସଂସ୍କୃତି ଭବନରେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟ ଅତିଥି ଉଦ୍‌ଘାଟନ କରିବେ । ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବେ । ଏହି ଦିବସ ଉପଲକ୍ଷେ ଅଗଷ୍ଟ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ସଂସ୍କୃତି ଭବନରେ ବିଭିନ୍ନ ସ୍କୁଲର ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ସାଧାରଣ ଜ୍ଞାନ ଆଦିରେ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଅଗଷ୍ଟ ୯ ତାରିଖରେ ସାଂସ୍କୃତିକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଉତ୍ସବ ପାଳନ କମିଟିର ସଦସ୍ୟ ଭାବେ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜିବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଏହି ବୈଠକରେ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ନେଇ ମତାମତ ରଖିଥିଲେ ।