ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ୭୫ ତମ ସାଧାରଣତନ୍ତ୍ର ଦିବସ ୨୦୨୪କୁ ଭଦ୍ରକ ଜିଲ୍ଲା ସ୍ତରରେ ଭଦ୍ରକ କଲେଜ ପଡ଼ିଆରେ ମହାସମାରୋହରେ ପାଳନ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୮ ଘଟିକା ୩୦ ମିନିଟ୍ରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ଼୍ ଅଂଶ ଗ୍ରହଣ କରିଥିବା ୩୪ଟି ଦଳକୁ ପରିଦର୍ଶନ କରିଥିଲେ । ଜନ ସାଧାରଣଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଜିଲ୍ଲାପାଳ ଆମ ଦେଶର ସ୍ୱାଧୀନତା ପ୍ରାପ୍ତିରେ ଏ ମାଟିର ଶହିଦ୍ ଓ ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହିତ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜରିଆରେ ଭଦ୍ରକର ବିକାଶର ଚିତ୍ର କିପରି ବଦଳୁଛି ସେ ଉପରେ ଆଲୋକପାତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପୋଲ, ମିଶନ୍ ଶକ୍ତି, କୃଷି, ଗୋସମ୍ପଦ ପ୍ରଭୃତି କ୍ଷେତ୍ରରେ ଯେଉଁ ବିକାଶର ଯାତ୍ରା ଆଗେଇ ଚାଲିଛି ସେଥିରେ ଜିଲ୍ଲାବାସୀ ସାମିଲ୍ ହୋଇ ଜିଲ୍ଲାର ସର୍ବାଙ୍ଗିନ୍ ଉନ୍ନତି ସାଧନରେ ସହାୟକ ହେବାକୁ ଆହ୍ୱାନ କରିଥିଲେ । ମାର୍ଚ୍ଚ ପାଷ୍ଟରେ ଶଶସ୍ତ୍ର ପୋଲିସ୍ବାହିନୀ ସହ ଏନ୍.ସି.ସି., ସ୍କାଉଟ୍, ଗାଇଡ଼୍, ରେଡ଼କ୍ରସ ଓ ସିଭିଲିୟାନ୍ ପ୍ରଭୃତି ୩୪ଟି ଦଳ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ଆର୍.ଆଇ.ପୋଲିସ୍ ରାକେଶ କୁମାର ସ୍ୱାଇଁ ଓ ସର୍ଜେଣ୍ଟ ଦୀପକ କୁମାର ପରିଡ଼ା ପ୍ୟାରେଡ଼ ପରିଚାଳନା କରିଥିଲେ ।
ପରେ ପରେ ଡି.ଏ.ଭି.ଏସ୍.ଡ଼ି.ପି.ଏସ୍., ସେଣ୍ଟ ଜାଭିୟର ଓ ଏନ୍.ଆର.ଆଇ.ସ୍କୁଲ ଦ୍ୱାରା ସାଂସ୍କୃତିକ କାର୍ଯର୍୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଓଡ଼ିଆ, ଇଂରାଜୀ ବକ୍ତୃତା, ଓଡ଼ିଆ ଇଂରାଜୀ ପ୍ରବନ୍ଧ, କ୍ୱିଜ୍, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସାଂସ୍କୃତିକ ଦଳମାନଙ୍କୁ ଏବଂ ପ୍ୟାରେଡ଼ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୧ମ, ୨ୟ ଓ ୩ୟ ହୋଇଥିବା ଦଳମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏସ୍.ପି. ବରୁଣ ଗୁଣ୍ଟୁପାଲି ମୁଖ୍ୟ ଅତିଥିଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର, ସିଟି.ଡ଼ି.ଏସ୍.ପି. ଅଂଶୁମାନ ଦ୍ୱିବେଦୀ ଏବଂ ମୋଜାବିଲ ଖାଁ ପ୍ୟାରେଡ଼ ପାଇଁ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ୟାରେଡ଼୍ ଓ ପୁରସ୍କାର ବିତରଣ ଉତ୍ସବ ପରେ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ କରି ଜିଲ୍ଲାସ୍କୁଲ ଭଦ୍ରକ ଓ ବସ୍ ସିଣ୍ଡିକେଟ୍, ଭଦ୍ରକ ଆନୁକୂଲ୍ୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ ପାତ୍ର ଏହି କାର୍ଯ୍ୟକ୍ରମର ଯୋଗ ଦେଇଥିଲେ । ପରେ ଜିଲ୍ଲା ସଂସ୍କୃତି ଭବନରେ ଆର୍ଟ କଲେଜ, ଭଦ୍ରକ ର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ କୁ ଉଦ୍ଘାଟନ କରି ବୁଲି ଦେଖିଥିଲେ । ଶେଷ କାର୍ଯ୍ୟକ୍ରମ ଭାବେ ମୁଖ୍ୟ ଅତିଥି ଆର୍.ଏନ୍.ବେତରା ଠାରେ ଅବସ୍ଥିତ ଦୃଷ୍ଟିବାଧିତ ସ୍କୁଲ ପରିଦର୍ଶନରେ ଯାଇ ପିଲାମାନଙ୍କ ମଧ୍ୟରେ ପୁରସ୍କାର, ପ୍ରମାଣପତ୍ର ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
ପିଲାଙ୍କ ସହିତ ମିଶି ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀ ମିନାକ୍ଷୀ ଗରାବଡ଼ୁ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଭଦ୍ରକ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ ସାହୁ, ଜିଲ୍ଲା କାର୍ଯ୍ୟାଳୟର ଏସ୍.ଓ. ହେମନ୍ତ ପ୍ରଧାନ, ରୋଟାରିଆନ୍ ସାମ୍ବାଦିକ ଅତିଶ୍ ବେହେରା ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଓ ପୁରସ୍କାର ପ୍ରଦାନରେ ରୋଟାରୀ କ୍ଲବ୍, ଭଦ୍ରକ, ସାଳନ୍ଦୀ ହସ୍ପିଟାଲ ଏବଂ ସାଳନ୍ଦୀ ନର୍ସିଂ ସ୍କୁଲ ଭଦ୍ରକ, ପଲ୍ଲଶ୍ରୀ, ଭଦ୍ରକ ପ୍ରଭୃତି ପୃଷ୍ଠପୋଷକତା ପ୍ରଦାନ କରିଥିଲେ । ବେଷ୍ଟ କମାଣ୍ଡର ସିନିୟର ଓ ଜୁନିୟରଙ୍କୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଏବଂ ସାଂସ୍କୃତିକ ପ୍ରତିଯୋଗୀଙ୍କୁ ରୋଟାରିଆନ୍ ଶିଶିର ମିଶ୍ର, ଅତିସ୍ ବେହେରା ଓ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଉତ୍ସବକୁ ସଫଳ, ସୁନ୍ଦର କରିବାରେ ଶିକ୍ଷା, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପୋଲିସ୍, ଉଦ୍ୟାନ ବିଭାଗ ସହ ପୌରପାଳିକା ଭଦ୍ରକ ମୁଖ୍ୟ ଭୂମିକା ନିଭାଇଥିଲେ ।