Odiapua.com

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷା, ଜୀବନ ରକ୍ଷା ନେଇ ଆଜି ଆଭାସି ଜରିଆରେ ଭଦ୍ରକ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଡି.ଏସ୍‌.ପି. କ୍ରାଇମ୍ ରଶ୍ମିରଞ୍ଜନ ସେନାପତି, ଜାତୀୟ ରାଜପଥ କର୍ତ୍ତୁପକ୍ଷ ଜେ.ପି. ବର୍ମା ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଏହି ମିଟିଂରେ ଯୋଡ଼ିହୋଇ ଆଲୋଚନାରେ ମତାମତ ପ୍ରକାଶ କରିଥିଲେ । ଏହି ବୈଠକର ଆବାହକ ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁଙ୍କ ଦ୍ୱାରା ସଡ଼କ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ନେଇ ବିଭିନ୍ନ ବିଷୟ ଆଧାରରେ ବିବରଣୀ ଉପସ୍ଥାପନ କ୍ରମେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୩ ବର୍ଷରେ ଜାନୁୟାରୀ ରୁ ଏପ୍ରିଲ ୪ ମାସରେ ୪୫ଟି ମୃତ୍ୟୁ, ୫୦ଟି ଗୁରୁତର ଆହତ ଓ ୬ଟି ସାମାନ୍ୟ ଆହତ ଏବଂ ଆହତ ହୋଇନଥିବା ୧୨ଟି ଦୁର୍ଘଟଣାର କେଶ୍ ରିପୋର୍ଟିଂ କରାଯାଇଛି । ଏଥିରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ସମୁଦାୟ ୬୪ଜଣ ଗୁରୁତର ଓ ୧୯ ଜଣ ସାମାନ୍ୟ ଆହତ ଭାବେ ପ୍ରଭାବିତ ହୋଇଛନ୍ତି ।

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତ ସଂଖ୍ୟା ହ୍ରାସ ପାଇଁ ଦୁର୍ଘଟଣା ଘଟିବାର କାରଣ ନିର୍ଣ୍ଣୟ ପୂର୍ବକ ନିରାକରଣ ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ନିଶା ସେବନ କରି ଗାଡ଼ି ଚାଳନା, ଦ୍ରୁତ ଗତି, ବିନା ହେଲମେଟ୍ ଓ ବିନା ସିଟ୍ ବେଲଟରେ ଗାଡ଼ିଚାଳନା, ଦ୍ରୁତ ଗତିରେ ଅତିକ୍ରମ କରିବା, ବିପଦାପନ୍ନ ଯାତ୍ରୀ ପରିବହନ, ଗାଡ଼ିଚାଳନା ସମୟରେ ମୋବାଇଲ ବ୍ୟବହାର ଆଦି ଘଟଣାକୁ ଧରପଗଡ଼ କରାଯିବା ସହିତ ସଚେତନତାର ଆବଶ୍ୟକତା ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ା ବିଶେଷ କରି ଦୁର୍ଘଟଣା ପ୍ରବଣ ରାସ୍ତା, ବୁଲାଣି, ସ୍କୁଲ ଆଦି ଜାଗା ମାନଙ୍କରେ ସବୁ ଜାଗାରେ ସାଇନେଜ୍ ଦୃଶ୍ୟମାନ ହେଉନଥିବା କିମ୍ବା ଲଗାଯାଇଥିବା ଫଳକକୁ କିଏ କାଢ଼ି ନେଉଥିବା ଘଟଣା ଯୋଗୁ ରେଡ଼ିୟମ୍ ସାଇନେଜ୍ ଓ ରାସ୍ତାରେ ପେଣ୍ଟିଂ ଦ୍ୱାରା ସତର୍କତା ଚିହ୍ନ ବ୍ୟବହାର ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ରାସ୍ତା ନିର୍ମାଣ ସମୟରେ ସଡ଼କ ସୁରକ୍ଷା ଚିନ୍ତା ମନରେ ରଖିବାକୁ ମଧ୍ୟ ସେ ପରାମର୍ଶ ପ୍ରଦାନ କରିଥିଲେ । ଅଧିକ ଗତିରେ ଯାନ ବାହାନ ଚାଳନା ପ୍ରବଣ ଅଞ୍ଚଳରେ ଅସ୍ଥାୟୀ ଭ୍ରାମ୍ୟମାଣ ପୋଲିସ୍ ବିଭାଗ ସୂଚନା ଥିବା ଲୌହ ବ୍ୟାରିକେଡ଼୍ ଦ୍ୱାରା ଜିଗ୍‌ଜାଗ୍ ବ୍ୟବସ୍ଥା ପ୍ରଚଳନ ପାଇଁ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜେ.ପି. ବର୍ମା ପ୍ରସ୍ତାବ ପ୍ରଦାନ କରିଥିଲେ । କମିଟି ସଦସ୍ୟ ରୋଟାରିଆନ୍ ଅତିସ୍ ବେହେରା ସହରରେ ଟ୍ରାକ୍ଟର ଚଳାଉଥିବା ଅଧିକାଂଶ ଗାଡ଼ିଚାଳନା ଲାଇସେନ୍‌ସ ନଥିବା ନାବାଳକ ଡ୍ରାଇଭର ସମସ୍ୟା, ଡ଼ାଲା ଅଟୋ, ଖାଦ୍ୟ ପରିବହନ ଗାଡ଼ିରେ ବିପଦାପନ୍ନ ଶ୍ରମିକ ପରିବହନ ଏବଂ ଅଧିକ ଉଚ୍ଚତା ସମ୍ପନ ହମ୍ପସ୍ ଯୋଗୁଁ ଦୁର୍ଘଟଣା ବଢ଼ୁଥିବାରୁ ତାର ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ପ୍ରସ୍ତାବ ରଖିଥିଲେ । ରାସ୍ତାରେ ବେନିୟମ୍ ଗାଡ଼ିପାର୍କିଂ, ସର୍ଭିସ୍‌ରୋଡ଼୍ କି ରାଜପଥକୁ ଲାଗି ରହିଥିବା ଦୋକାନ ଆଦି ଉଚ୍ଛେଦ ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏ.ଆର.ଟି.ଓ. ଶ୍ରୀକାନ୍ତ ଦାସ, ସଡ଼କ ସୁରକ୍ଷା ଅଧିକାରୀ ଏସ୍‌.କେ. ରହିମ୍ ଙ୍କ ସହ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ, ଆଉ.ଡ଼ି. ୧ ଓ ୨ ର ନିର୍ବାହୀ ଯନ୍ତ୍ରୀ, ବସ୍ ମାଲିକ୍ ସଂଘର ଶ୍ରୀନିବାସ ପତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ପ୍ରମୁଖ ଜୁମ୍ ଜରିଆରେ ଏହି ବୈଠକ ସହ ଯୋଡ଼ି ହୋଇଥିଲେ ।