Odiapua.com

ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ – ୨୦୧୬ ଓ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଶିବିର

କେନ୍ଦ୍ରାପଡା, ୯ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ – ୨୦୧୬ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ଶିବିର ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଭିନ୍ନକ୍ଷମ ଆୟୁକ୍ତ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ସମସ୍ତ ଅଧିକାରୀ କ୍ଷେତ୍ରରେ ତୃଣମୂଳସ୍ତରରେ କାମ କରୁଥିବା କର୍ମଚାରୀ ଏବଂ ସ୍ୱେଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧି ସମସ୍ତେ ବ୍ୟାପକ ଜନଜାଗରଣ ସୃଷ୍ଟି କରିପାରିଲେ ଭିନ୍ନକ୍ଷମମାନେ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ପାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନକୁ ପୂର୍ଣ୍ଣାଙ୍ଗ କରିପାରିବେ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ସମସ୍ତ ଭିନ୍ନକ୍ଷମମାନେ ନିଜର ମନବଳକୁ ସୁଦୃଢ କରି ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେବାକୁ ଆହ୍ୱାନ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୨୧ ପ୍ରକାର ଭିନ୍ନକ୍ଷମଙ୍କ ନିମନ୍ତେ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। କୋଭିଡ-୧୯ ମହାମାରୀ ସମୟରେ ଜିଲ୍ଲା ପ୍ରଶାସନର ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନାର ସଫଳତାକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ସରକାରଙ୍କ ଆଇପିଡି ଆକ୍ଟର ସହଯୋଗୀତା, ସହଭାଗୀତା, ସମାନତା ଏବଂ ପ୍ରଗତି ଦିଗରେ ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଡି.ଆର.ଆଇ ଋଣ ପ୍ରଦାନ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି ଉପଲକ୍ଷେ ଜିଲ୍ଲାର ୬ଜଣ ଥାଲାସେମିଆ ରୋଗୀ / ଭିନ୍ନକ୍ଷମଙ୍କୁ ରାଜ କାଣ୍ଡି, ସାଇ ଆଦିତ୍ୟ ସେଠୀ, ସୈାଭାଗ୍ୟ ସାମଲ, ରୀତେଶ ଦାସ, ଶିବୁ ଦଳେଇ ଓ ଶୁଭେନ୍ଦୁ ଦାସଙ୍କୁ ୟୁ.ଡି.ଆଇ.ଡି. କାର୍ଡ ପ୍ରଦାନ ସହ ଗରଦପୁର ବ୍ଲକର କୈଳାସ ଚନ୍ଦ୍ର ପଣ୍ଡାଙ୍କୁ ଲିଗାଲ ଗାଡିଅନସିପ ସାର୍ଟିଫିକେଟ ଏବଂ ତୀବଲିଙ୍ଗ ସୋନମ ବେଗମଙ୍କୁ ୟୁଡିଆଇଡି କାର୍ଡ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ତ୍ୱରିତ ବେଗରେ ସମସ୍ତ ସେବା ଯୋଗାଇ ଦିଆଯିବା ସହ ଜିଲ୍ଲାରେ ଭିନ୍ନକ୍ଷମ ଯୋଜନା କାର୍ଯ୍ୟକାରୀତାରେ ଶତକଡା ୯୮ ପ୍ରତିଶତ ସଫଳତା ମିଳିଥିବା ପ୍ରକାଶ କରିଥିଲେ। ୨୦୧୬ ଭିନ୍ନକ୍ଷମ ଆଇନ ଭିନ୍ନକ୍ଷମମାନଙ୍କୁ କେବଳ ସମ୍ବୋଧନ ବ୍ୟତିତ ଅନ୍ୟକିଛି ଡାକିବା ଉପରେ ନିଷିଦ୍ଧ କରାଯାଇ ସେମାନଙ୍କ ଆତ୍ମବିଶ୍ୱାସକୁ ସୁଦୃଢ କରାଯାଇଛି। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା. ଅନିତା ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଶିବିର କରାଯାଇ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିବା ସୂଚନା ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିବିରର ଉଦେଶ୍ୟ ଓ ଆଭିମୁଖ୍ୟ ପ୍ରଦାନ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କୋରୁଆ ପଲ୍ଲିଶ୍ରୀ ମହିଳା ସମିତିର ଅନ୍ତେବାସୀ କୁନିଝିଅ ଅଲିଭା ପ୍ରାରମ୍ଭିକ ନୃତ୍ୟ ଏବଂ କେନ୍ଦ୍ରାପଡାରେ ଭିନ୍ନକ୍ଷମଙ୍କ ବିକାଶ ସମ୍ପର୍କିତ ଏକ ସଂଗୀତରେ ନୃତ୍ୟ ପରିବେଷଣ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଶେଷରେ ଭବାନୀ ଦାସ ଭିନକ୍ଷମ ଜୀବନର ସଫଳତା ସମ୍ପର୍କରେ ବଖାଣିଥିଲେ। ପ୍ରାରମ୍ଭରେ ସମସ୍ତେ ଅତିଥି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା, ଡେରାବିଶି ବିଡିଓ ଗୋପବନ୍ଧୁ ଭୋସାଗର, କର୍ମନିୟୋଜନ ଅଧିକାରୀ ରୋଜାଲିନ ବେଗମ, ମଙ୍ଗଳ ଅଧିକାରୀଣୀ ମମତାରାଣୀ ପରିଡା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଅଗ୍ରଣୀ ସ୍ୱେଛାସେବୀ ଅଭିମନ୍ୟୁ ରାଉତ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସିଡିପିଓ, ବିଏସଏସଓ, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ ଓ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ।