Odiapua.com

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍‌ସ ଓ ସରକାରୀ ଯୋଜନା ସମୀକ୍ଷା ଓ ପରାମର୍ଶ କମିଟି ବୈଠକ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ବ୍ୟାଙ୍କ ଜରିଆରେ ବିଭିନ୍ନ ଯୋଜନାରେ ଋଣ ସବ୍‌ସିଡି ଆଦି ପ୍ରଦାନ ନେଇ ସଂପୃକ୍ତ ସରକାରୀ ବିଭାଗ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ବ୍ୟାଙ୍କର୍‌ସ ଓ ସରକାରୀ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଓ ପରାମର୍ଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ବୈଠକର ଆବାହକ ଏଲ୍‌.ଡି.ଏମ୍‌. ନାଗେଶ୍ୱର ରାଓ, ସି.ଡି.ଓ. ସରୋଜ କୁମାର ଦତ୍ତ, ଏ.ଡି.ଓ. ଆର.ବି.ଆଇ., ଡି.ଡି.ଏମ୍‌. ନାବାର୍ଡ ଯୋଗଦେଇଥିଲେ । ମିଶନ୍ ଶକ୍ତି ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ବିଶେଷ କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଏସ୍‌.ବି.ଆଇ. ବ୍ୟାଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କର ପୁନଃ ନବୀକରଣ କାର୍ଯ୍ୟ ୧୫ ଫେବୃୟାରୀ ୨୦୨୪ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ସେମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ପାଇଁ ଏଲ୍‌.ଡି.ଏମ୍‌. ଶ୍ରୀଯୁକ୍ତ ରାଓ ସମସ୍ତ ବ୍ୟାଙ୍କର ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ପରବର୍ତ୍ତୀ ୧୫ ଦିନ ମଧ୍ୟରେ ପ୍ରତି ବ୍ୟାଙ୍କକୁ ଅତି କମ୍‌ରେ ୧୦ଟି ଲେଖାଏଁ ପି.ଏମ୍‌.ଇ.ଜି.ପି. ଦରଖାସ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ କହିଥିଲେ । ମିଶନ ଶକ୍ତି ସ୍କୁଟର ଯୋଜନାରେ ୟୁକୋ, ଓ.ଜି.ବି. ଏବଂ ପି.ଏନ୍‌.ବି. ଆଦି ବ୍ୟାଙ୍କ ଦ୍ୱାରା ଅର୍ଥ ମଞ୍ଜୁର ପରିମାଣକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ ଏବଂ ବାକିଥିବା ସମସ୍ତ ଦରଖାସ୍ତକୁ ମଞ୍ଜୁର କରିବାକୁ ଅନୁରୋଧ କରିଥିଲେ । ମାସ ଶେଷ ସୁଦ୍ଧା ମୋ ଘର ପ୍ରସ୍ତାବ ଅତି କମ୍‌ରେ ପ୍ରତି ବ୍ୟାଙ୍କ ୨୦ଟି ଲେଖାଏଁ ମଞ୍ଜୁର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସାଂସଦ ଶ୍ରୀମତୀ ମଣ୍ଡଳ ପୁରୁଣାବଜାରରେ କାନାରା ବ୍ୟାଙ୍କ ଦ୍ୱାରା, ତିହିଡ଼ିର କୋହ୍ଲ ବଜାରରେ ପି.ଏନ୍‌.ବି. ଦ୍ୱାରା ଯଥା ଶୀଘ୍ର ଶାଖା ଖୋଲିବା ଉପରେ ଆଲୋକପାତ କରିଥିଲେ । ଏକ୍ସିସ୍ ବ୍ୟାଙ୍କ ଦ୍ୱାରା ନୂଆ ଶାଖା ଖୋଲିବା ପାଇଁ ଜିଲ୍ଲାପାଳ କହିଥିଲେ । ବୈଠକରେ ଶିଳ୍ପ, କୃଷି, ମିଶନ ଶକ୍ତି, ମତ୍ସ୍ୟ, ପ୍ରାଣୀ ସମ୍ପଦ ପ୍ରଭୃତି ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ସମସ୍ତ ବ୍ୟାଙ୍କର ଜିଲ୍ଲା ସ୍ତରୀୟ ସଂଯୋଜକ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।