Odiapua.com

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଳାପାଳ କୋବିଡ଼ ୧୯ର ପରିଚାଳନା ଉପରେ ସାଂସଦ ଓ ବିଧାୟକମାନଙ୍କ ଅବଗତି ନିମନ୍ତେ ବିସ୍ତୃତ ବିବରଣୀ ଉପରେ ଆଲୋଚନା କରିଥିଲେ । ପରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସୁପରିଚାଳନା ନିମନ୍ତେ ଭଦ୍ରକ ଜିଲ୍ଲାକୁ ୧୧ଟି ଜୋନ୍‌ରେ ବିଭକ୍ତ କରି ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଣିପାଗ ବିଭାଗ, ରାଜ୍ୟରେ ଭଲ ବର୍ଷା ହେବା ଆକଳନ କରିଥିବାରୁ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି ଆଲୋଚନାରେ ଅସ୍ଥାୟୀ ବେତାର କେନ୍ଦ୍ର ପ୍ରତିଷ୍ଠା, ସରକାରୀ ଯନ୍ତ୍ର ଚାଳିତ ଡଙ୍ଗା, ଦେଶୀ ଡଙ୍ଗା, ଓଡ୍ରାଫ୍ ଟିମ୍‌ର ମୁତୟନ, ରିଲିଫ୍‌ର ସୁଷମ ବଣ୍ଟନ, ବର୍ଷା ପରିମାପକ ଯନ୍ତ୍ରର ସୁପରିଚାଳନା, ବିଭିନ୍ନ ସ୍ଥାନରେ ଦୁର୍ବଳ ନଦୀବନ୍ଧର ମରାମତି, ଭଦ୍ରକ ସହରାଞ୍ଚଳରେ ବନ୍ୟାଜଳର ନିଷ୍କାସନ, ଜିଲ୍ଲାର ଅଗମ୍ୟ ସ୍ଥାନରେ ବର୍ଷା ପୂର୍ବରୁ ରିଲିଫ ଦ୍ରବ୍ୟ, କିରୋସିନ, ଚୁଡା, ଚାଉଳ, ଗୁଡ, ଗୋଖାଦ୍ୟ ମହଜୁଦ୍ ରଖିବା, ବନ୍ୟା କିମ୍ବା ମରୁଡି ହେଲେ କୃଷି ବିଭାଗ ପରବର୍ତ୍ତୀ ପରିସ୍ଥିତିରେ ଚାଷ ସୁପରିଚାଳନା ପାଇଁ ବିହନ ଓ ସାର ଗଚ୍ଛିତ ରଖିବା, ବନ୍ୟା ସମୟରେ ବନ୍ୟାକ୍ଳିଷ୍ଟଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା, ପଶୁ ସମ୍ପଦର ସୁରକ୍ଷା, ଚିକିତ୍ସା ଓ ଖାଦ୍ୟ ପ୍ରସ୍ତୁତ ରଖବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।

 

 

ଗତକାଲି ଠାରୁ (ଜୁନ ୧) ଠାରୁ ଆରମ୍ଭ ହୋଇ ନଭେମ୍ବର ୩୦ ପର୍ଯ୍ୟନ୍ତ ୩ଟି ଅସ୍ଥାୟୀ ବେତାର କେନ୍ଦ୍ର ଆଖୁଆପଦା ଜଳସେଚନ କାର୍ଯ୍ୟାଳୟ, ଧୁଷୁରୀ ଗାନ୍ଧିଘାଟ ଜଳସେଚନ କାର୍ଯ୍ୟାଳୟ ଏବଂ ତିହିଡି ଶ୍ୟାମସୁନ୍ଦରପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି । ଏହା ବ୍ୟତୀତ ବିଭିନ୍ନ ତହସିଲ ଅଞ୍ଚଳରେ ମୋଟ ୩୨ଟି ଡଙ୍ଗା ରହିଥିବା ବେଳେ ସେଥିମଧ୍ୟରୁ ୩୧ଟି ସଚଳ ଓ ଗୋଟିଏ ଅଚଳ ରହିଛି । ଏହାକୁ ଚଲାଇବା ପାଇଁ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ଜିଲ୍ଳାରେ ଥିବା ୧୦୪ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରେ ରେଡକ୍ରସର ହୋଇଥିବା ବେଳେ ୮୪ଟି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଅଧିନରେ ରହିଛି । ଏହି ୮୪ଟି ବାତ୍ୟା ଆଶୟସ୍ଥଳୀକୁ ଆସନ୍ତା ୧୦ ତାରିଖ ସୁଦ୍ଧା ମରାମତି କରାଯିବା ନିମନ୍ତେ ସମସ୍ତ ବିଡିଓଙ୍କୁ ଏସ୍‌ଆର୍‌ସିଙ୍କ ଅନୁମୋଦନ କ୍ରମେ ୪ କୋଟି ୨୭ଲକ୍ଷ ୮୩ ହଜାର ୧୮୪ଟଙ୍କା ପ୍ରଦାନ କରାଯାଇଛି । ତେବେ ଏହି ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨୦ଟିର ମରାମତି ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବାକି ୬୪ଟିର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି ବୋଲି ସୂଚନା ଦିଆଯାଇଥିଲା । ଏହି ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଳା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ,ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଳାପାଳ (ସା) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।