Odiapua.com

ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ, ୧୮ରେ ଟେବୁଲ ଟପ୍ ୧୯ରେ ମକ୍‌ଡ୍ରିଲ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା, ବାତ୍ୟା, ସୁନାମି ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତିବର୍ଷ ଜୁନ ୧୯ରେ ମକ୍‌ଡ଼୍ରିଲ୍ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବା ପରିପ୍ରେକ୍ଷୀରେ ଚଳିତ ବର୍ଷପାଇଁ ଆଜି ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ପାଇଁ ଗତ ଦୁଇବର୍ଷ ଧରି ଏହି କାର୍ଯ୍ୟକ୍ରମ ହୋଇପାରି ନଥିବାରୁ ଏବର୍ଷ ପାଇଁ ସଠିକ୍ ଢଙ୍ଗରେ ଏହାର ଆୟୋଜନ ପାଇଁ ଏସ୍‌ ଆର୍‌.ସି.ଙ୍କ ଦ୍ୱାରା ଗୁରୁତ୍ୱାରୋପ କରାଯାଇଛି। ଏଥି ଉପଲକ୍ଷେ ଗତକାଲି ସନ୍ଧ୍ୟାରେ ଅଭାସି ଜରିଆରେ ଜିଲ୍ଲାପାଳ ମାନଙ୍କୁ ନେଇ ଏସ୍‌.ଆର୍‌.ସି.ଙ୍କ ଦ୍ୱାରା ଅନୁଷ୍ଠିତ ଆଲୋଚନା ଓ ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାପାଳ ପ୍ରସ୍ତୁତି ବୈଠକରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଏ.ପି.ଡ଼ି କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ସହ ବି.ଡ଼ି.ଓ ସଂପୃକ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ ଥିବା ୧୧୦ ଟି ଯାକ ଆଶ୍ରୟସ୍ଥଳୀରେ ଆସନ୍ତା ୧୮ ତାରିଖରେ ଟେବୁଲ ଟପ୍ ଅଭ୍ୟାସ ଓ ୧୯ ତାରିଖରେ ମକଡ଼୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ୍ ସ୍ତରୀୟ ନୋଡ଼ାଲ ଅଧିକାରୀ ଭାବେ ବି.ଡ଼ି.ଓ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ୧୩ ତାରିଖ ସୁଦ୍ଧା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକ ଶେଷ କରିବାକୁ କୁହାଯାଇଥିଲା। ବିପର୍ଯ୍ୟୟ ମୁକାବିଲା ନେଇ ପ୍ରାକ୍ ବିପର୍ଯ୍ୟୟ, ବିପର୍ଯ୍ୟୟ ଘଟିବା ସମୟ ଏବଂ ବିପର୍ଯ୍ୟୟ ପରେ ସମସ୍ତ କାର୍ଯ୍ୟକ୍ରମ ଏଥିରେ ସ୍ଥାନିତ କରାଯିବ।

ଆଶ୍ରୟସ୍ଥଳୀ କମିଟିର ସଭାପତି, ସମ୍ପାଦକ, ଜନ ପ୍ରତିନିଧି, ସଂପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର କର୍ମକର୍ତ୍ତା, ଅଗ୍ନିଶମ, ପୋଲିସ୍‌, ଓଡ଼ରାଫ୍‌, ଆଶା, ଅଙ୍ଗନବାଡ଼ି, ଆଦି ସଂପୃକ୍ତ ସମସ୍ତ ବିଭାଗୀୟ କର୍ମଚାରୀ ଏଥିରେ ସାମିଲ ହେବେ। ସକାଳ ୮ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଉଦ୍ଦେଶ୍ୟରେ ଏସ୍‌.ଆର.ସି. ବିଭାଗଙ୍କ ଠାରୁ ବାତ୍ୟା କି ବନ୍ୟା ଆଦିର ବାର୍ତ୍ତା ପାଇଲା ମାତ୍ରେ ସେହି ଅନୁଯାୟୀ ଅଭ୍ୟାସ ଆରମ୍ଭ କରାଯିବ। ସୂଚନା ଯୋଗ୍ୟକି ୧୯୯୯ ର ମହାବାତ୍ୟା ପରଠାରୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପରିଚାଳନା ପ୍ରକ୍ରିୟା କୁ ଯେପରି ସଫଳତାର ସହିତ କାର୍ଯ୍ୟକାରୀ କରାଯାଇ ଆସୁଛି ସାରା ବିଶ୍ୱ ସ୍ତରରେ ସେଥିନେଇ ଓଡ଼ିଶାର ଏକ ପରିଚୟ ରହିଛି। ଏହି ସୁନାମକୁ ବଜାୟ ରଖିବା ପାଇଁ ସେହି ‘ଶୂନ’ ମୃତ୍ୟୁ ଆଭିମୁଖ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ସଦା ସଜାଗ ଓ ପ୍ରସ୍ତୁତରହିବାକୁ ଏସ୍‌.ଆର୍‌.ସି ଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତାକୁ ଜିଳ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ। ପ୍ରାକ୍ ବିପର୍ଯ୍ୟୟରେ ବନ୍ୟା, ବାତ୍ୟା ପ୍ରବଣ ଅଞ୍ଚଳ ଚିହ୍ନଟ, ନଷ୍ଟହେବାକୁ ଥିବା ଘର ଚିହ୍ନଟ ଅଧିକ ବିପଦଗ୍ରସ୍ତ ସମ୍ଭାବନା ଥିବା ଛୋଟପିଲା, ଗର୍ଭବତୀ, ବୃଦ୍ଧ, ରୋଗୀ, ଦିବ୍ୟାଙ୍ଗ ଆଦି ମାନଙ୍କ ତାଲିକା ପ୍ରସ୍ତୁତି, ବିପର୍ଯର୍୍ୟୟ ବାର୍ତ୍ତା ସମ୍ବନ୍ଧୀୟ ସୂଚନା ସମ୍ବାଦର ପ୍ରଚାର ପ୍ରସାର, ଲୋକ ସ୍ଥାନାନ୍ତର ପ୍ରକ୍ରିୟା, ବିପର୍ଯ୍ୟୟ ଘଟିବା ସମୟରେ ଉଦ୍ଧାର କାର୍ଯ୍ୟ ଆଶ୍ରୟୀସ୍ଥଳୀରେ ସର୍ବନିମ୍ନ ସୁବିଧା ସୁଦ୍ଧ ପାନୀୟ ଜଳ, ଆଲୋକ, ସୈାଚାଳୟ, ସ୍ୱାସ୍ଥ୍ୟପ୍ରଦ ସୁଖିଲା ବା ରନ୍ଧାଖାଦ୍ୟ, ପ୍ରାଥମିକ ଚିକିତ୍ସା, ଗୃହପାଳିତ ପଶୁମାନଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା, ବିପର୍ଯ୍ୟୟ ପରେ ଥଇଥାନ, କ୍ଷୟକ୍ଷତିର ବାସ୍ତବ ଆକଳନ, ରିଲିଫ ବଣ୍ଟନ ଆଜି ସମ୍ବନ୍ଧରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତତ୍‌ଜନିତ ପଦକ୍ଷେପ ନେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ନଦୀବନ୍ଧ ଓ ଡ଼୍ରେନେଜ ସବୁର ସ୍ଥିତାବସ୍ଥା ନେଇ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲା। ନିର୍ବାଚନ ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ଏହି ମାନସିକତାକୁ ନେଇ ଆମେ ସମସ୍ତେ ବିପର୍ଯ୍ୟୟର ମୁକାବିଲା ପାଇଁ ଶତ ପ୍ରତିଶତ ପ୍ରୟାସ ଜାରିରଖିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିବା ସହ ବୈଠକରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ଜରୁରୀକାଳିନ ଅଧିକାରୀ ମନୋରମା ଜାଲି ଏହି ବୈଠକ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ।