Odiapua.com

ଜିଲ୍ଲା ସ୍ତରୀୟ ପିସି ଆଣ୍ଡ ପି.ଏନ.ଡି.ଟି ପରାମର୍ଶମଣ୍ଡଳୀ ବୈଠକ

କେନ୍ଦ୍ରାପଡା, ୨୫/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ପରାମର୍ଶମଣ୍ଡଳୀ ବୈଠକ ସହ ଜିଲ୍ଲା ସ୍ତରୀୟ କୋଭିଡ -୧୯ ଟୀକାଦାନ କାର୍ଯ୍ୟନିର୍ବାହୀ ଏବଂ ଜାତୀୟ ପଲସ ପୋଲିଓ ଟୀକାଦାନ ଦିବସ – ୨୦୨୧ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପାଇଁ ନିଯୁକ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ଡଃ ଅର୍ଚ୍ଚନା ଗାୟନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା-ସଚିଦାନନ୍ଦ ମିଶ୍ର, ଜି-ଡି-ଏସ-ଓ- ଡା- ରାମକୃଷ୍ଣ ଶତପଥୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ପ୍ରକାଶ ବାନାର୍ଜୀ, ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଭାରତୀୟ ମେଡିକାଲ ସଙ୍ଘର ସଦସ୍ୟା ଡା- ସ୍ନେହଲତା କାନୁନଗୋ, ଡା- ନିରଞ୍ଜନ ପରିଡା, ଆଇନଜୀବି ଧିରେନ ସାହୁ, ସମାଜସେବୀ ବିରଜା ପ୍ରସାଦ ପତି, ଲଳିତାଞ୍ଜଳି ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ଥିବା ୧୭ଟି ଅଲଟ୍ରା ସାଉଣ୍ଡ କ୍ଲିନିକର କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେହି ୧୭ଟି ମଧ୍ୟରୁ ୧୨ଟି ଚାଲୁରହିଥିବା ବେଳେ ୩ଟି ଡାକ୍ତରଙ୍କ ଅଭାବରୁ ବନ୍ଦ ଥିବା ବେଳେ ୨ଟି ଆଇନ ଉଲ୍ଲଙ୍ଘନ କରିଥିବାରୁ ସିଲ କରାଯାଇଛି। ସେହିଭଳି ପଟ୍ଟାମୁଣ୍ଡାଇ ଅଚଂଳରେ ଗୋଟିଏ ଏବଂ ସୂର୍ଯ୍ୟ ନର୍ସିଂହୋମରେ ଅଲଟ୍ରା ସାଉଣ୍ଡ କ୍ଲିନିକ ଖୋଲିବା ନିମନ୍ତେ ଆବେଦନପତ୍ର ବିଚାରଧିନ ରହିଛି। କେତେକ ଅଲଟ୍ରା ସାଉଣ୍ଡ କ୍ଲିନିକରେ ଲିଙ୍ଗ ନିରୂପଣ ଏବଂ ଗର୍ଭପାତ କରାଯାଉଥିବା ସମାଜସେବୀ ଶ୍ରୀ ପତି ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବର୍ମା ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି କହି ଅଭିଯୋଗ ଆସିଲେ ସେହି ଅଲଟ୍ରାସାଉଣ୍ଡ କ୍ଲିନିକକୁ ଜବତ କରି ସିଲ କରିଦିଆଯିବ ବୋଲି କହିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡଃ-ନାୟକ ବକ୍ତବ୍ୟରେ ଜିଲ୍ଲାରେ ଆଶା ଓ ଅଙ୍ଗନୱାଡିକର୍ମୀ ୭୯୭୨ଜଣ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ବେଳେ ୯ଟି ବ୍ଲକରେ ୪୪ଟି ଶୀତଳ ଭଣ୍ଡାର ୩୧ଟି ଶୀତଳ ସବସେଂଟର ଏବଂ ୯୨୬ଟି ଉପକେନ୍ଦ୍ର ଦ୍ୱାରା ଶୁନରୁ ୫ବର୍ଷ ଶିଶୁଙ୍କୁ ତା ୧୭-୦୧-୨୦୨୧ ରୁ ୧୯-୦୧-୨୦୨୧ମଧ୍ୟରେ ପଲସ ବୁନ୍ଦା ଖୁଆଯିବ ବୋଲି ସୂଚନା ଦେଇଥିଲେ। ଜିଲ୍ଲାରେ ବର୍ତ୍ତମାନ ଟୀକାଦାନ ଶତକଡା ୮୫ ଥିବା ବେଳେ ଏହାକୁ ଶତ ପ୍ରତିଶତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇ ନୂତନ ଭାବେ ନିଆଯାଇଥିବା ୧୧୩ଟି ଟୀକାଦାନ କେନ୍ଦ୍ରରେ ଯେପରି ସମସ୍ତ ଦୁର୍ଗମ ଅଂଚଳ ସହ ଜିଲ୍ଲାର ସବୁ ଅଚଂଳରେ ଟୀକାଦାନ କାର୍ଯ୍ୟକ୍ରମ ଶତ ପ୍ରତିଶତ ସଫଳତା ଲାଭ ହେବ ସେଥିପ୍ରତି ଯତ୍ନବାନ ହେବାକୁ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ମହାମାରୀ କୋଭିଡ-୧୯ (କରୋନା) ଟୀକା ଆସନ୍ତା ବର୍ଷ ଜାନୁଆରୀ କିମ୍ବା ଫେବୃୟାରୀମାସରୁ ଆପାତତଃ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେବା ସହ ଏଦିଗରେ ସମସ୍ତ ସହକାରୀ ନର୍ସ ସେବୀକା(ଏ-ଏନ-ଏମ-) ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ତାଲିମ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ସଂକ୍ରମଣ ହାର ବହୁତ କମ ଅଛି। ବର୍ତ୍ତମାନ ଶିତଋତୁ ଆସିଯାଇଥିବାରୁ ସମସ୍ତ ଜନସାଧାରଣ ମାକ୍ସ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖି ସଚେତନତା ଅବଲମ୍ବନ କରିବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ ଜିଲ୍ଲାପାଳ। ସ୍ୱାସ୍ଥ୍ୟ ବିଭାଗ ଏବଂ ଜନସାଧାରଣଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଦ୍ୱାରା କୋଭିଡ ସଙ୍କ୍ରମଣ ଏବଂ ମୃତ୍ୟୁହାର ବହୁତ କମ ଥିବା ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। କୋଭିଡ ଟୀକା ଆସିବା ମାତ୍ରେ ଜିଲ୍ଲାରେ ସଠିକ ଭାବେ ଏକ ବ୍ୟବସ୍ଥିତ ଢଙ୍ଗରେ ସମସ୍ତଙ୍କୁ ଉପଲବ୍ଧ କରାଯିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଶିକ୍ଷା ବିଭାଗ ଓ ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।