Odiapua.com

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ୱେବିନାର କର୍ମଶାଳା ଅନୁଷ୍ଠିତ

କେନ୍ଦ୍ରାପଡା, ୧୬/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ୱେବିନାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେସିଂ ସମ୍ମିଳନୀ କକ୍ଷରୁ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଯୋଗଦେଇ କେନ୍ଦ୍ରାପଡାର ଭାଇଚାରା ଅନନ୍ୟ ବୋଲି ଉଦବୋଧନ ରଖି ବିଶ୍ୱ ମହାମାରୀ କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ତଥା ଜନସଚେତନତା ପାଇଁ କେନ୍ଦ୍ରାପଡା ଜିଲ୍ଲା ଗଣମାଧ୍ୟମର ବଳିଷ୍ଠ ଭୂମିକା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଚତୁର୍ଥସ୍ତମ୍ବ ବୋଲାଉଥିବା ସମସ୍ତ ସାମ୍ବାଦିକମାନଙ୍କ ଭୂମିକା ଅବର୍ଣ୍ଣନୀୟ ବୋଲି ସମ୍ବୋଧନ କରି ଜିଲ୍ଲାକୁ କୋଭିଡମୁକ୍ତ କରିବା ଦିଗରେ ସାମ୍ବାଦିକମାନେ ଅଧିକରୁ ଅଧିକ କଲମ ଚାଳନା କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାରତୀୟ ପ୍ରେସ ପରିଷଦର ଗଣମାଧ୍ୟମକୁ ସୁରକ୍ଷା ପାଇଁ ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରି ଜିଲ୍ଲାରେ କୋଭିଡ ନିୟନ୍ତ୍ରଣରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବଳିଷ୍ଠ ପଦକ୍ଷେପ ଏବଂ ପରାମର୍ଶ କ୍ରମେ ଜିଲ୍ଲାରେ ସଂକ୍ରମଣ ହାର ୭୫ଭାଗ ନିୟନ୍ତ୍ରଣ କରାଯାଇଥିବାରୁ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳଙ୍କୁ ବଧେଇ ଜଣାଇଥିଲେ। ଦିବସ ଉପଲକ୍ଷେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜି- ଡି- ଏସ- ଓ- ଡା- ରାମକୃଷ୍ଣ ଶତପଥୀ ଯୋଗଦେଇ ଚଳିତବର୍ଷର ପ୍ରେସ କାଉନସିଲ ଅଫ ଇଣ୍ଡିଆ ପ୍ରଦତ୍ତ ବିଷୟ “ରୋଲ ଅଫ ମିଡିଆ ଡିଲିଙ୍ଗ ଦ କୋଭିଡ-୧୯ ପାଣ୍ଡେମିକ ଆଣ୍ଡ ଇଟ୍‌ସ ଇମ୍ପାକ୍ଟ ଅନ ମିଡିଆ” ଉପରେ ବକ୍ତବ୍ୟ ରଖିବା ସହ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କୋଭିଡ-୧୯ କାୟା ବିସ୍ତାର କରିଥିବା ବେଳେ ଭାରତରେ ଏହାର ହାର କମଥିବା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ସର୍ବ ପ୍ରଥମେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ଲେଖନୀ ଦ୍ୱାରା ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ କମ ଏବଂ ନିୟନ୍ତ୍ରଣ କରାଯାଇଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଡା- ଶତପଥୀ ବିଭିନ୍ନ ରାଷ୍ଟ୍ରର କୋଭିଡ-୧୯ ଜନିତ ସଂକ୍ରମଣ ସମସ୍ୟା ଉପରେ ବକ୍ତବ୍ୟ ରଖି ଏହାର ଜନସଚେତନତା ଦିଗରେ ଭାରତର ସାମ୍ବାଦିକମାନେ ଗତ ମାର୍ଚ୍ଚ ୨୩ତାରିଖରୁ ଜନତା କର୍ଫ୍ୟୁ ଠାରୁ ଆରମ୍ଭକରି ସାମାଜିକ ସତକର୍ତ୍ତା ଓ ତାଲାବନ୍ଦ ସମୟରେ ମଣିଷ ମଣିଷ ମଧ୍ୟରେ କିଭଳି ସହଯୋଗ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ବିଶ୍ୱ ମହାମାରୀ ବିପର୍ଯ୍ୟୟ ପରିଚାଳନାରେ ସାମ୍ବାଦିକମାନେ ସୁସ୍ଥତାର ସମ୍ପର୍କ ସେତୁ ବାନ୍ଧିବାରେ ଓ କୋଭିଡ-୧୯ ପ୍ରତିହତ କରିବାରେ ନିଜର କଲମ ଚାଳନା କରିଛନ୍ତି ତାହା ଉଚ୍ଚ ପ୍ରସଂଶନୀୟ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଦିବସର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଇ- ଗର୍ଭନାନ୍ସ ପରିଚାଳକ ଜ୍ଞାନରଞ୍ଜନ ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବୈଠକରେ ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ସଚିଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରବିବାର ଓ ସୋମବାର ଜିଲ୍ଲାର ସାମ୍ବାଦିକମାନଙ୍କ ପାଖକୁ ପଠାଯାଇଥିବା ୱେବିନାର କର୍ମଶାଳାର ଲିଙ୍କ କାମକରିନଥିବାରୁ ବହୁ ସାମ୍ବାଦିକ ଲିଙ୍କ ମାଧ୍ୟମରେ ଯୋଗଦାନ କରିପାରିନଥିଲେ।