Odiapua.com

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କୁ ଭଦ୍ରକ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭଦ୍ରକ ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଜୁନ୍ ୩୦ ତାରିଖ ପରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ଅବସର ନେବାକୁ ଯାଉଥିବା ବେଳେ ତାଙ୍କର ଉଦ୍ୟକ ଓ ଚେଷ୍ଟା ବଳରେ ଜିଲ୍ଲାରେ ପ୍ରାୟ ଏଗାରଶହ ଷାଠିଏ ପାଖାପାଖି କଳାକାର ଭତା ପାଇବାର ସୁଯୋଗ ସୃଷ୍ଟି ହୋଇଛି । କଳା, ସଂସ୍କୃତି କ୍ଷେତ୍ରରେ ଶ୍ରୀ ବେହେରାଙ୍କୁ କଳାକାର ମାନେ ଭୁଲି ପାରିବେ ନାହିଁ ବୋଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ ବେହେରା କହିଥିଲେ । ଉକ୍ତ ସଭାରେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଷିଷ୍ଟ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ଭାଗିରଥି ନନ୍ଦଶର୍ମା ଯୋଗଦେଇ ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା ଓ ଜଣେ କର୍ତବ୍ୟବାନ ଏବଂ ଅମାୟିକ ମଣିଷ ଭାବରେ ଉଚ୍ଚ ପ୍ରଶଂସା କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତର ଆବାହକ ଶରତ ଚନ୍ଦ୍ର ସାହୁ ଓ ମୋଗଲ ତାମସାର ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ ସମ୍ମାନ୍ନିତ ଅତିଥି ଭାବରେ ଯୋଗଦେଇଥିଲେ । ବରେଣ୍ୟ ଅତିଥି ଭାବରେ ଗାୟକ ପଣ୍ଡିତ୍ ନାରାୟଣ ଚନ୍ଦ୍ର ପଣ୍ଡା ଓ ସଂଗୀତ ନିର୍ଦ୍ଦେଶକ ତଥା ବର୍ଷିଆନ୍ କଳାକାର ବାଣୀକଣ୍ଠ ରବିନ୍ଦ୍ର ବାରିକ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଓଝା ଅତିଥି ପରିଚୟ ପ୍ରଦାନ କରିବା ସହିତ ମୁଖ୍ୟ ବକ୍ତା ଭାବରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତାପସ କୁମାର ନାୟକ ଯୋଗଦେଇ ଡିଆଇପିଆର ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କ ଭଳି ଜଣେ ଅମାୟିକ ଓ ଦାୟିତ୍ୱବାନ ଅଫିସରଙ୍କ ସହିତ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କ ସହିତ କାର୍ଯ୍ୟ କରିଥିବାରୁ ନିଜକୁ ଗର୍ବିତ ଅନୁଭବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଲା ଗାୟିକା ସସ୍ମିତା ରାଉତ, ଉମାକାନ୍ତ ଦାସ, ଶ୍ରୀଧର ସେଠୀ ସହଯୋଗିତା କରିଥିବା ବେଳେ ଗାୟକ ଲୋକନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭଦ୍ରକ ବ୍ଲକ କଳାକାର ସଂଘ ଓ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ବେହେରାଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।