Odiapua.com

ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର, ସି.ଏମ୍‌.ଆର୍‌.ଏଫ୍‌. ଓ ରେଡ଼କ୍ରସ ପାଣ୍ଠିରୁ ୮୪ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଯୁଗ୍ମ ଜନଶୁଣାଣି ଶିବିର ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୧୮ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୯୪ଟି ବ୍ୟକ୍ତିଗତ ଓ ୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୨୪ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ସି.ଏମ୍‌.ଆର୍‌. ଏଫ୍ ସମ୍ବନ୍ଧୀୟ ଥିବା ଚିକିତ୍ସା ପାଇଁ ୪ଜଣ ଆବେଦନକାରୀଙ୍କୁ ସମୁଦାୟ ୫୫ ହଜାର ଓ ରେଡ଼କ୍ରସ ପାଣ୍ଠିରୁ ୪ ଜଣଙ୍କୁ ୨୯ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ଗୁରୁତର ବ୍ୟାଧିର ଚିକିତ୍ସା ପାଇଁ ସି.ଏମ୍‌.ଆର୍‌.ଏଫ୍‌.ରୁ କାଦବରାଙ୍ଗର ରୀନାରାଣୀ ପଣ୍ଡାଙ୍କୁ ୨୫ ହଜାର ଟଙ୍କା, ଧାମନଗରର ପୀତାମ୍ବର ଜେନାଙ୍କୁ ୧୦ ହଜାର, ହାସନପୁର ର ଋକ୍‌ମଣୀ ମିଶ୍ରଙ୍କୁ ୧୦ ହଜାର, ଶେରପୁର, ଭଦ୍ରକର ରାମଚନ୍ଦ୍ର ନାୟକଙ୍କୁ ୧୦ ହଜାର ଏବଂ ରେଡ଼କ୍ରସ, ପାଣ୍ଠିରୁ ଚିକିତ୍ସା ପାଇଁ ମିର୍ଜାପୁରର ସେକ୍ ଆକବରଙ୍କୁ ୪ ହଜାର ଅର୍ଜୁନପୁରର କବିତା ପାଢ଼ୀଙ୍କୁ ୧୦ ହଜାର, ପିରିପୁରର ହେମଲତା ସାହୁଙ୍କୁ ୧୦ ହଜାର ଏବଂ ଧାମନଗରର ସୁକେଶ ନାୟକଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ବିଭାଗୀୟ ଅଧିକାରୀମାନେ ମଧ୍ୟ୍ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ନେଇ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ । ଡ଼େପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଏବଂ ତନ୍ମୟ କମାର ଜେନା ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ । ଅଭିନେତ୍ରୀ ମହାନ୍ତି ଏବଂ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ । ଧାନ କିଣା, ରେସନକାର୍ଡ଼, ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା, ଜମିଜମା ଆଦି ସମସ୍ୟା ସହ ପୋଲିସ୍‌, ଶିକ୍ଷା, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ ଆଦି ବିଭାଗୀୟ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ମାନ ଆଗତ ହୋଇଥିଲା ।