Odiapua.com

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବ୍ୟାଟେରୀ ଚାଳିତ ଗାଡ଼ି ଓ ଖାଦ୍ୟ ପ୍ରଦାନ ବ୍ୟବସ୍ଥା, ଉଦ୍‌ଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବସ୍‌ଷ୍ଟାଣ୍ଡରୁ ନୂଆ ଓ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ, ପୁରୁଣା ମୁଖ୍ୟ ଡାକ୍ତରଖାନାରୁ ନୂଆ ଡାକ୍ତରଖାନାକୁ ମାଗଣାରେ ରୋଗୀ ପରିବହନ କରାଯିବା ଉଦ୍ଦେଶ୍ୟରେ ଭଦ୍ରକର ‘ଫୁଲରାଣୀ’ ଫାଉଣ୍ଡେସନ ଦ୍ୱାରା ବ୍ୟାଟେରୀ ଚାଳିତ ଗାଡ଼ି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପ୍ରଦାନ କରାଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ପୀତାମ୍ବର ବିଶ୍ୱାଳଙ୍କ ଦ୍ୱାରା ପ୍ରଣୀତ ଏହି ଫାଉଣ୍ଡେସନର ମିଶନ୍ ମୋବିଲିଟି ଯୋଜନାରେ ଏହି ଗାଡ଼ି ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହି ଯୋଜନାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଫିତାକାଟି ଉଦ୍‌ଘାଟନ କରିଥିଲେ। ଜିଲ୍ଲାପାଳ ଦିଲୀପ ରାଉତରାଏ ଭାରପ୍ରାପ୍ତ ସି.ଡ଼ି.ଏମ୍‌.ଓ. ଡା ସୁଧୀର ରଞ୍ଜନ ନାୟକ, ଡି.ପି.ଏମ୍‌. ସରିତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଭୁବନେଶ୍ୱରର ‘କର୍ତବ୍ୟ’ ଫାଉଣ୍ଡେସନ୍ ଆନୁକୂଲ୍ୟରେ ସୁଖମ୍ ଅନ୍ନମ୍ ଯୋଜନାରେ ୧୫ ନଭେମ୍ବର ୨୦୨୪ କାର୍ତିକ ପୂର୍ଣ୍ଣିମା ଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚିକିତ୍ସିତ ଥିବା ରୋଗୀମାନଙ୍କ ସହାୟକ ଓ ନିହାତି ଅସହାୟ ଗରିବ ଲୋକମାନଙ୍କ୍‌ୁ ମାଗଣାରେ ମଧ୍ୟାହ୍ନ ଓ ରାତ୍ର ଭୋଜନ ଯୋଗାଇ ଦିଆଯିବା ନେଇ ସୂଚନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ କଲ୍ୟାଣି ପଂଚାୟତନିବାସୀ ଲଳିତେନ୍ଦୁ ଜେନାଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରତିଦିନ ମଧ୍ୟାହ୍ନରେ ୩୫୦ ମିଲ ଓ ରାତ୍ର ଭୋଜନରେ ୩୫୦ ମିଲ୍ ସମୁଦାୟ ୭୦୦ ମିଲ ପ୍ରତ୍ୟେକଦିନ ପ୍ରଦାନ କରାଯିବ। ସୂଚନା ଯୋଗ୍ୟକି ଏହି ଅନୁଷ୍ଠାନ ତରଫରୁ ଅକ୍ଷୟ ତୃତୀୟା ଦିନ ଠାରୁ ଏସ୍‌.ସି.ବି. କଟକ ଡାକ୍ତରଖାନାରେ ଦୈନିକ ୪୫୦ ମଧ୍ୟାହ୍ନ ଭୋଜନ ଓ ୪୫୦ ରାତ୍ର ଭୋଜନ ରୋଗୀମାନଙ୍କ ସହାୟକମାନଙ୍କ୍‌ୁ ପ୍ରଦାନ କରାଯାଇ ଆସୁଅଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ଦିଗରେ ଉତ୍ସର୍ଗୀକୃତ ଭାବେ ବିଭିନ୍ନ ସେବା ପ୍ରଦାନ କର୍ତବ୍ୟ ଫାଉଣ୍ଡେସନ ର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନର ଅନ୍ୟତମ ସହଯୋଗୀ ନୀହାର ରଞ୍ଜନ ସାହୁ ପ୍ରକାଶ କରିଥିଲେ। ଉଭୟ ଶ୍ରୀ ଜେନା ଏବଂ ଶ୍ରୀ ସାହୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ଯୋଜନା ବିଷୟରେ ମାନ୍ୟବର ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାନ୍ୟବର ମନ୍ତ୍ରୀ ଓ ଜିଲ୍ଲାପାଳ ଡାକ୍ତରଖାନାର ରକ୍ତଭଣ୍ଡାର ପରିଦର୍ଶନ କରିଥିଲେ। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କଟକ ଏ.ସି.ବି. ଡାକ୍ତରଖାନାକୁ ରେଫର କରାଯାଉଥିବା ଯୋଗୀମାନଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ସହାୟତା ଡେସ୍କ ବ୍ୟବସ୍ଥା କରାଯାଇ ଜନଭାଗିଦାରୀଙ୍କୁ ଫଳପ୍ରସୂ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।