ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରୟାଣୀର ପଂଚମ ସନ୍ଧ୍ୟା ଆଜି ନେହେରୁ ଷ୍ଟାଡିୟମ ପରିସରରେ ଅତ୍ୟନ୍ତ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସନ୍ଧ୍ୟାର କାର୍ଯ୍ୟକ୍ରମକୁ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ।ଜିଲ୍ଲା ପ୍ରଶାସନ ଭଦ୍ରକଙ୍କ ଆୟୋଜନରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶରୂପେ ଆଜି ସଂଧ୍ୟା ସମୟରେ ବିଭିନ୍ନ ନାମୀ-ଦାମୀ କଳାକାର ଓ କଳାଦଳଙ୍କ ଦ୍ୱାରା ସାଂସ୍କୃତିକ ପରିବେଶନଣ ପ୍ରଦର୍ଶିତ ହୋଇଛି। ସଂଧ୍ୟା ୪ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବିକେଏସଏସ, ବନ୍ତଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଛି। ଏହା ପରେ କ୍ରମଶଃ ସ୍ମାରକ ରଞ୍ଜନ ପରିଡା, ଦିବ୍ୟଜ୍ୟୋତି ମହାନ୍ତି ଓ ଅନୁରାଗ ନାୟକଙ୍କ ଦ୍ୱାରା ଗୀତ ପରିବେଷଣ କରାଯାଇଛି। ସଂଧ୍ୟା ୪.୪୦ଟାରୁ ଲଳିତ କଳା ଏକାଡେମୀଙ୍କ ନୃତ୍ୟ ପରିବେଷଣ ଅତି ମନଲୋଭା ହୋଇଥିଲା। ସଂଧ୍ୟା ୫ଟାରେ ଦୂରଦର୍ଶନ ଗାୟକ କମଳାକାନ୍ତ ରାଉତଙ୍କ ଦ୍ୱାରା ଅର୍ଦ୍ଧ-ଶାସ୍ତ୍ରୀୟ ଗୀତ ପରିବେଶଣ କରାଯାଇଥିଲା। ପରବର୍ତୀ ଭାବେ ମୟୁର ଡ୍ୟାନ୍ସ ଗ୍ରୁପ୍, ସୁଭ୍ରସ୍ମିତା ରାଉତ ଓ ଗୌତମ ବାରିକ ଏବଂ ଦଳଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତମୟ ମେଲୋଡି ପରିବେଷଣ କରାଯାଇଥିଲା। ସଂଧ୍ୟା ୭ଟା ପରେ ପଦ୍ମାଳୟା ଡ୍ୟାନ୍ସ ଗ୍ରୁପ୍, ମୃଣ୍ମୟ ଏମଏସ୍ଙ୍କ ଗୀତ ପରିବେଶନ, ଇମାର୍ଟ ଭାରତୀୟ କଳା ସାଂସ୍କୃତିକ କେନ୍ଦ୍ର (ରାୟଗଡ଼ା), ବିକେଏସ୍ ଷ୍ଟୁଡିଓଙ୍କ ନୃତ୍ୟ ପରିବେଷଣ ଓ ଶେଷରେ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପୁନର୍ବାର ମୃଣ୍ମୟ ଏମଏସ୍ଙ୍କ ସଙ୍ଗୀତାନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।