Odiapua.com

ଜିଲ୍ଲା ମନିଟରିଂ କମିଟି ୧୮ ମାସ ହେଲା ବସୁନଥିବାରୁ ଜିଲ୍ଳା ସଚେତନତା ମଂଚର ଚେତାବନୀ

ନୟାଗଡ଼, ୭ା୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାରେ ଦୀର୍ଘ ୧୮ ମାସ ହେଲା ଜିଲ୍ଳା ମନିଟରିଂ କମିଟି ବସିନଥିବାରୁ ଖାଉଟିମାନଙ୍କୁ ଉଚିତ୍ ନ୍ୟାୟ ନମିଳୁଥିବାରୁ ଏହାକୁ ବିରୋଧ କରି ଜିଲ୍ଳା ସଚେତନତା ମଂଚ ଆସନ୍ତା ୧୧ରୁ କଳା ପତାକା ଶୋଭାଯାତ୍ରା କରିବ ବୋଲି ଚେତାବନୀ ଦେଇଛି। ଏପରିକି ସେମାନଙ୍କୁ ଉଚିତ୍ ନ୍ୟାୟ ମିଳିବା ପାଇଁ ଜିଲ୍ଳା ଖାଉଟି ବିବାଦ ପ୍ରତିକାର ମଂଚ ମଧ୍ୟ ଗଠନ କରାଯାଇଛି। ଖାଉଟିମାନଙ୍କୁ ସଚେତନତା କରିବା ଏବଂ ସେମାନଙ୍କୁ ଶୋଷଣମୁକ୍ତ କରିବା ଲକ୍ଷ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିବିଧ ପଦକ୍ଷେପ ନେବାର ନିୟମ ଥିବାବେଳେ ନୟାଗଡ଼ ଜିଲ୍ଳାରେ କିନ୍ତୁ ସବୁ ନିୟମକୁ ଥୁ କରିବା ଏକ ଗୁରୁତର ଅଭିଯୋଗ ହେଉଛି। ୨୦୧୭ ମସିହା ମେ ୧୮ ତାରିଖରେ ଶେଷ ମନିଟରିଂ ମିଟିଙ୍ଗ ବସିଥିବାବେଳେ ଆଉ କାହିଁ ଏପର୍ଯ୍ୟନ୍ତ ମନିଟରିଂ ମିଟିଙ୍ଗ ବସିନଥିବା ଜଣାପଡ଼ିଛି। ଖାଉଟିମାନଙ୍କ ସ୍ୱାର୍ଥକୁ ନଦେଖି କାହିଁକି ଏପରି ଜାଣି ଶୁଣି ବିଭାଗୀୟ ଅଧକାରୀ ଅବହେଳା କରୁଛନ୍ତି ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଂଚ ଓ ଜିଲ୍ଳା ଖାଉଟି ସହାୟତା କେନ୍ଦ୍ରର ଆସବାପତ୍ର ଓ ପୁସ୍ତକ କ୍ରୟ ପାଇଁ ୯ଲକ୍ଷ ଟଙ୍କା ଆସି ପଡ଼ି ରହିଲା। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ସେଥିରୁ ୩ଲକ୍ଷ ୨୨ ହଜାର ଟଙ୍କା ଫେରିଗଲା। ଯେଉଁ ୫ଲକ୍ଷ ୬୭ ହଜାର ଟଙ୍କା ଆଲମିରା, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କିଣାଗଲା ସେଥିରେ ବହୁ ବାଦ ବିବାଦ ଦେଖାଦେଲା। ଯାହାକି ୨୦୧୭ ମସିହା ଜୁନ୍ ୨୮ ତାରିଖରେ ଆହୁତ ଏକ ସ୍ୱତନ୍ତ୍ର ଏକ ବୈଠକ ଡକାଯାଇଥିଲା। ହେଲେ ଏହି ବୈଠକକୁ ଆସିଲେ ନାହିଁ। ଫଳରେ ବିବାଦ ସେହିଦିନଠାରୁ ଜୋର ଧରିଥିବାବେଳେ ୧୮ ମାସ ବିତିଗଲା ସିନା ମନିଟରିଂ ମିଟିଙ୍ଗ ଆଉ ବସିବାର ନାଁ ଗନ୍ଧ ନାହିଁ କି ଖାଉଟି ମାନଙ୍କୁ ଶୋଷଣରୁ ମୁକ୍ତି ପାଇଁ କୌଣସି ଉଦ୍ୟମ କରାଯାଉନାହିଁ। ଏହାକୁ ନେଇ ଜିଲ୍ଳା ଖାଉଟି ସଚେତନତା ମଂଚ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାର ଯଦି ତୁରନ୍ତ ସମାଧାନ କରାନଯାଏ, ତେବେ ଆସନ୍ତା ୧୧ ତାରିଖରେ କଳାପତାକା ଶୋଭାଯାତ୍ରା କରିବାକୁ ଖାଉଟି ସଚେତନତା ମଂଚର ସଭାପତି ଶୂନ୍ୟଜୟୀ ମିଶ୍ର ଚେତାବନୀ ଦେଇଛନ୍ତି।