ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -‘ଷୋଳମପୁର ବୌଦ୍ଧବିହାର’ ଭାଗ୍ୟ ଉଦୟ ହେବାକୁ ଯାଉଛି । ଏହି ବୌଦ୍ଧବିହାରକୁ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଆଜି ପ୍ରାଥମିକ ପର୍ଯ୍ୟାୟ ସର୍ବେକ୍ଷଣ ହୋଇଛି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସର୍ବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜି.କେ. ସାହୁ ଓ ସହକାରୀ ପର୍ଯ୍ୟଟନ ଅଧିକାରୀ ମୋନାଲିସା ଜେନା ବୌଦ୍ଧବିହାର ମାଉଣ୍ଡ, ପ୍ରବେଶ ଦ୍ୱାର, ରଘୁନାଥଜୀଉ ମନ୍ଦିର ଉତ୍ତର ପାଶ୍ୱର୍ କାନ୍ଥରେ ଖୋଦେଇ ହୋଇ ରହିଥିବା ବୁଦ୍ଧଦେବଙ୍କ ଅଷ୍ଟମହାଶ୍ଚର୍ଯ୍ୟ ମୂତ୍ତି, ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନିର୍ମିତ ସଂଗ୍ରହାଳୟରେ ସ୍ଥାନିତ ମୂର୍ତ୍ତି, ପାରିପାଶ୍ୱର୍ିକ ଅବସ୍ଥା ଆଦିର ପ୍ରାରମ୍ଭିକ ସର୍ବେକ୍ଷଣ କରିଥିଲେ । ସର୍ବେକ୍ଷଣ ଗାଇଡ ଭାବେ ବିଶ୍ୱମ୍ବର ରାଉତ ସହଯୋଗ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟ ସର୍ବେକ୍ଷଣ ସନ୍ତୋଷଜନକ ବୋଲି ପର୍ଯ୍ୟଟନ ଅଧିକାରୀ ମତପ୍ରକାଶ କରିଥିଲେ । ଆଗାମୀ ଛଅ ମାସ ବ୍ୟବଧାନରେ ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣ କରାଯାଇ ପର୍ଯ୍ୟଟନ ବିଶେଷଜ୍ଞ କମିଟି ନିକଟରେ ରିପୋର୍ଟ ଉପସ୍ଥାପନ କରାଯିବ । କମିଟି ସୁପାରିଶ ଆଧାରରେ ଓ ଜିଲ୍ଲାପାଳଙ୍କ ଅନୁମୋଦନ ଭିତ୍ତିରେ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଷୋଳମପୁର ବୌଦ୍ଧବିହାରକୁ ସ୍ଥାନ ଦିଆଯାଇ ପାରିବ ବୋଲି ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଥିଲେ । ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସମନ୍ୱୟରେ ଏହି ବୌଦ୍ଧବିହାର ବିକାଶ ସମ୍ଭବ ହୋଇ ପାରିବ ବୋଲି ପର୍ଯ୍ୟଟନ ଅଧିକାରୀ ଆଶା ପ୍ରକାଶ କରିଥିଲେ ।