ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ପ୍ରଥମ ସୋମବାର ଛୁଟି ଦିବସ ଥିବାରୁ ସରକାରୀ ନିୟମାନୁଯାୟୀ ପରଦିନ ମଙ୍ଗଳବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୬୨ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୪ଟି ଗ୍ରାମ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଓ ୫୮ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଚିକିତ୍ସା ସହାୟତା ପ୍ରଦାନ ସମ୍ବନ୍ଧୀୟ ଆଗତ ଅଭିଯୋଗ ମଧ୍ୟରୁ ୮ ଜଣ ରୋଗୀଙ୍କ ଆବେଦନ ମଞ୍ଜୁର କରାଯାଇ ସି.ଏମ୍.ଆର.ଏଫ୍.ରୁ ସମୁଦାୟ ୭୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ରବିନାରାୟଣ ଦାସଙ୍କୁ ୭,୦୦୦ ହଜାର, ଶତୃଘ୍ନ ଦାସଙ୍କୁ ୧୦,୦୦୦/- ରଥ ସାହୁଙ୍କୁ ୧୦,୦୦୦/-, ଜୟନ୍ତୀ ଜେନାଙ୍କୁ ୧୫,୦୦୦/- ସରସ୍ୱତୀ ଦାସଙ୍କୁ ୧୦ ହଜାର, ତପନ ଦାସଙ୍କୁ ୧୦ ହଜାର, ଚିତ୍ତରଞ୍ଜନ ଦାସଙ୍କୁ ୧୦ ହଜାର ଓ ଦେବେନ୍ଦ୍ର ଘଡ଼େଇଙ୍କୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ନିୟମାନୁଯାୟୀ ଅଭିଯୋଗ ସବୁର ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ରାସ୍ତା, ଆବାସ ଯୋଜନା, ଭତ୍ତା, ବକେୟା ଦରମା ପ୍ରାପ୍ତ ନହେବା ପ୍ରଭୃତି ସମ୍ବନ୍ଧରେ ଅଭିଯୋଗ ଆସିଥିଲା । ଅଭିଯୋଗ ଉପସ୍ଥାପନାରେ ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଓ ରାଜୀବ ହାଁସଦା ଏବଂ ଅଭିଯୋଗ ପଞ୍ଜିକରଣରେ ସାଧାରଣ ବିବିଧ ବିଭାଗର ଅଭିନେତ୍ରୀ ମହାନ୍ତି ଓ ଲିପ୍ସା ରାଣୀ ରାଉତ ସହଯୋଗ କରିଥିଲେ ।