Odiapua.com

ଜିଲ୍ଲା କାର୍ଯ୍ୟାଳୟରେ ମାସର ପ୍ରଥମ ଜନଶୁଣାଣି ଶିବିର, ୨୪୬ଟି ଅଭିଯୋଗ ଆଗତ , ୮ଜଣଙ୍କୁ ୩୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଚଳିତ ଅକ୍ଟୋବର ମାସର ପ୍ରଥମ ସୋମବାରରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ୍ ରାଉତରାଏ ଓ ଭଦ୍ରକ ଏସ୍‌.ପି. ମାଡ଼କର ସନ୍ଦୀପ ସମ୍ପତ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୨୪୬ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୨୧୦ଟି ବ୍ୟକ୍ତିଗତ ସମସ୍ୟା ଓ ୩୬ଟି ସାମୂହିକ ସମସ୍ୟା ଭିତିକ ଅଭିଯୋଗ ଥିଲା । ୮ ଜଣ ଆବେଦନକାରୀଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ଚିକିତ୍ସା ନିମନ୍ତେ ସମୁଦାୟ ୩୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ଭଣ୍ଡାରିପୋଖରୀ ବ୍ଲକ୍ ସାନଶାସନ ଗ୍ରାମ ପଂଚୟାତର ବଡ଼ ଶାସନ ଗ୍ରାମର ରଶ୍ମିରଞ୍ଜନ ସାହୁଙ୍କ ୫ ଜହାର ଟଙ୍କା, ଭଣ୍ଡାରିପୋଖରୀର ମହୁରା ଗ୍ରାମର ପ୍ରତାପ କୁମାର ଜେନାଙ୍କୁ ୪ ହଜାର ଟଙ୍କା, ଆଗରପଡ଼ା, ବନ୍ତର ଗୀତାଞ୍ଜଳୀ ବାରିକଙ୍କୁ ୩ ହଜାର ଟଙ୍କା, ଭଦ୍ରକର ଭାଇମା ବିବିଙ୍କୁ ୭ ହଜାର ଟଙ୍କା, ତିହିଡି଼ର ମନ୍ମଥ ବିଶ୍ୱାଳଙ୍କୁ ୫ ହଜାର ଟଙ୍କା, ତଳଦୁମୁକା, ଫୀରହାଟ, ତିହିଡି଼ର ସୁରେଶ ଚନ୍ଦ୍ର ବାରିକଙ୍କୁ ୪ ହଜାର ଟଙ୍କା, ଦୁମୁନ୍ ବିବିଙ୍କୁ ୨ ହଜାର ଟଙ୍କା, ମିର୍ଜାପୁର, ଭଦ୍ରକର ଏସ୍‌.କେ ଆକବରଙ୍କୁ ୩ ହଜାର ଟଙ୍କା ରେଡ଼କ୍ରସ୍ ରୁ ପ୍ରଦାନ କରାଯିବା ପାଇଁ ମଞ୍ଜୁର କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସୁଧୀର ରଞ୍ଜନ ନାୟକ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଶହେ ଶତକଡ଼ା ଦୃଷ୍ଟି ବାଧିତ ଥିବା ବଳରାମପୁର, ଆର୍‌,ଏନ୍‌.ବେତରା, ଭଦ୍ରକ ବ୍ଲକ୍‌ର ରଶ୍ମିତା ମହାନ୍ତିଙ୍କୁ ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଲାପ୍‌ଟପ୍ ଯୋଜନାରେ ଏହି ଶିବିରରେ ଜିଲ୍ଲାପାଳଙ୍କ ଦ୍ୱାରା ଲାପ୍‌ଟପ୍ ପ୍ରଦାନ କରାଯାଇଥିଲା । ସୁଶ୍ରୀ ମହାନ୍ତି ବର୍ତମାନ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ କଳାରେ ଯୁକ୍ତ ତିନି ଛାତ୍ରୀ ଭାବେ ଅଧ୍ୟୟନ ରତ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେସନ୍ କାର୍ଡ଼, ବାର୍ଦ୍ଧକ୍ୟ ଭତା, ରାସ୍ତା ମରାମତି, ରାସ୍ତା ଆଲୋକିକରଣ, ପାରିବାରିକ ବିଶୃଙ୍ଖଳା, ଦିବ୍ୟାଙ୍ଗଙ୍କୁ ସହାୟତା ଆଦି ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଆଗତ ହୋଇଥିଲା । ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସବୁର ସମାଧାନ ପାଇଁ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ । ଡ଼େପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ତନ୍ମୟ କୁମାର ଜେନା, ସାଧାରଣ ବିବିଧ ବିଭାଗର ଅଭିନେତ୍ରୀ ମହାନ୍ତି, ଲିସାରାଣୀ ରାଉତ ପ୍ରମୁଖ ଏହି ଶିବିରରେ ଅଭିଯୋଗ ପଞ୍ଜିକରଣ ଓ ଉପସ୍ଥାପନା ପରିଚାଳନାରେ ଆନୁଷଙ୍ଗିକ ସହଯୋଗ କରିଥିଲେ ।