Odiapua.com

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ପୁରୁଣାବଜାର, ଭଦ୍ରକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଶିକ୍ଷକ ମୁସ୍ତାକ ଅଲି ଖାନ ମଂଚ ସଂଚାଳନା କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଗଣଙ୍କ ମଧ୍ୟରେ ଶିଶୁ ସୁରକ୍ଷା ବିଭାଗର ଶିଶୁ ଆଇନ ଅଧିକାରୀ ସୁବ୍ରତ କୁମାର ଦାସ, ପ୍ରତିପକ୍ଷ ସହଯୋଗୀ ( ଏଲ ଏ ଡିସି) ବହ୍ନିଶିଖା ବିଶ୍ୱାଳ, ଭଦ୍ରକ ନିଶା ନିବାରଣ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ନାୟକ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ, ନିତ୍ୟାନନ୍ଦ ରାଉତ ତଥା ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଏବଂ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ସୁନ୍ଦର ସମାଜ ଗଠନ କରିବା ଦିଗରେ କୋମଳ ମତି ଛାତ୍ର ଛାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ସେମାନେ ମାଦକ ଦ୍ରବ୍ୟ ପରି ନିଶା ଠାରୁ ନିଜକୁ ଦୂରରେ ରଖି ସୁ ଭବିଷ୍ୟତ ଗଠନ ନିମନ୍ତେ ଚେଷ୍ଟିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ମାନବ ଚାଲାଣ ଆଇନ (ଦାଦନ) ଏବଂ ଯୌନ ଅପରାଧ ଏବଂ ଶିଶୁ ସୁରକ୍ଷା ଆଇନ, ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଏହାର ନିରାକରଣ ଆଇନ, ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଶାଖା କେସ୍ ଉପରେ ଆଧାରିତ ନିର୍ଦ୍ଦେଶାବଳୀ ପ୍ରଭୃତି ବିଷୟରେ ଉପସ୍ଥିତ ଅତିଥିଗଣ ଆଲୋକପାତ କରିଥିଲେ। ବିଦ୍ୟାଳୟରେ ଥିବା ଆଇନଗତ ସାକ୍ଷରତା କ୍ଲବର ସଦସ୍ୟମାନଙ୍କୁ ମଧ୍ୟ ଉଦବୋଧନ ଦେଇ ଅତିଥିମାନେ କହିଥିଲେ ଯେ ସ୍କୁଲରେ ପ୍ରତିଷ୍ଠିତ ହୋଇଥିବା ଆଇନଗତ ସାକ୍ଷରତା କ୍ଲବ୍ ଛାତ୍ରଛାତ୍ରୀମାନଙ୍କୁ ମୌଳିକ ଅଧିକାର ଏବଂ ନାଗରିକର ମୌଳିକ କର୍ତବ୍ୟ ସମ୍ବନ୍ଧରେ ସଚେତନ କରିବା ଉଚିତ । ଏହି କ୍ଲବ ମଧ୍ୟ ସାମାଜିକ କୁସଂସ୍କାର ବିରୁଦ୍ଧରେ ସଚେତନତା ସୃଷ୍ଟି କରେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ମଧ୍ୟ ଉତ୍ସାହିତ କରେ। ଏଥିସହିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କୁ ବାର୍ତା ଦିଆଯାଇଥିଲା ଯେ ଏକ ଉନ୍ନତ ସାମାଜିକ ଜୀବନ ଗଠନ ପାଇଁ, ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ନିଜର ସମୟକୁ ଭଲ ଭାବରେ ପରିଚାଳନା କରନ୍ତୁ, ଉତମ ସାମାଜିକ ଜୀବନ ଗଠନ କରନ୍ତୁ।