ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତିହିଡି ସ୍ଥିତ ଦହପାଣିଆ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଡ଼ କାଳିପଦ ଦାସ ମଂଚ ସଂଚାଳନା କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଭଦ୍ରକ, ଅଂଶୁମାନ ଦ୍ୱିବେଦୀ, ତିହିଡି ବ୍ଲକ ସମ୍ପ୍ରସାରଣ ଅଧିକାରିଣୀ, ସୌମ୍ୟା ସୁଚରିତା ମହାନ୍ତି, ସାମାଜିକ କର୍ମୀ, ଭଦ୍ରକ, ରାମ ଚନ୍ଦ୍ର ନାୟକ, ପ୍ରତିପକ୍ଷ ପ୍ରତିପକ୍ଷ ଅଧୀବକ୍ତା, ବହ୍ନିଶିଖା ବିଶ୍ୱାଳ, ତଥା ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୌନ ଉତ୍ପୀଡ଼ନ ସୁରକ୍ଷା (ପୋଷ) ଆଇନ ଏବଂ ଏହାର ବିଭିନ୍ନ ବ୍ୟବସ୍ଥା ଏବଂ ଏସ୍.ସି. ଏବଂ ଏସ୍.ଟି. ଙ୍କ ନିମନ୍ତେ ଥିବା ଯୋଜନା ଆଇନ ଉପରେ ପିଲାମାନଙ୍କୁ ସଚେତନ କରାଇବା। ଏହି ପରିପ୍ରେକ୍ଷିରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଯୌନ ଉତ୍ପୀଡ଼ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସହିତ ପରିଚିତ କରାଏ ଏବଂ ଏକ ସ୍ୱଚ୍ଛ ଅଭିଯୋଗ ପ୍ରଣାଳୀ ପ୍ରତିଷ୍ଠା କରେ, ଯାହା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦେବା ସହିତ ସମସ୍ତ ଆଇନଗତ ଆବଶ୍ୟକତାକୁ ପୂରଣ କରିଥାଏ। ଆଜିକାଲି ଛାତ୍ରଛାତ୍ରୀମାନେ ମୋବାଇଲର ସଦୁପଯୋଗ ଠାରୁ ଦୁରୁପଯୋଗ ବହୁତ କରୁଛନ୍ତି, ଉପସ୍ଥିତ ଅତିଥି ଗଣ ପିଲାମାନଙ୍କୁ କହିଥିଲେ ଯେ, ସମାଜରେ ଭଲ ମଣିଷ ହେବା ପାଇଁ ହେଲେ ମୋବାଇଲରୁ ଭଲ ଶିକ୍ଷା ଗ୍ରହଣ କରନ୍ତୁ । ପରିଶେଷରେ ବନ ମହୋତ୍ସବ ସପ୍ତାହ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।