Odiapua.com

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଜରିଆରେ ସହାୟତା

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଙ୍ଗାଲୁରୁ ହାଓଡ଼ା ସୁପରଫାଷ୍ଟ ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ତଥା ସେମାନଙ୍କ ସଂପର୍କୀୟ ମାନଙ୍କ ସହ ଯୋଗାଯୋଗର ମାଧ୍ୟମ ସାଜିଥିଲା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ତା.୦୩.୦୬.୨୦୨୩ ରିଖ ଏବଂ ତା.୦୪.୦୬.୨୦୨୩ ରିଖରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ତରଫରୁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲାଯାଇଥିଲା । ଏହି ହେଲ୍ପ ଡେସ୍କରେ ସହାୟତା ପ୍ରଦାନ କରୁଥିବା ପାରାଲିଗାଲ ସ୍ୱେଚ୍ଛାସେବି, ଭଦ୍ରକ ଏବଂ ପ୍ୟାନେଲ ଓକିଲ, ଭଦ୍ରକ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗ କ୍ରମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଆହତ (ରେଳ ଦୁର୍ଘଟଣାରେ) ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇ ସେମାନଙ୍କୁ କିପରି ଶିଘ୍ର ସହାୟତା ଦିଆଯିବ ସେ ନେଇ ସମସ୍ତେ ତତ୍ପର ହୋଇ ଉଠିଥିଲେ । ସେମାନଙ୍କ ସଂପର୍କୀୟ ମାନଙ୍କ ସହ ଯୋଗାଯୋଗ କରି ଏହି ସଂକଟ ସମୟରେ ଆଶ୍ୱସନା ଦେବାସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଭଦ୍ରକରେ କାର୍ଯ୍ୟରତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଅନ୍ୟାନ୍ୟ ଡାକ୍ତର ମାନଙ୍କ ସହ ସୁ-ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକରେ ଥିବା ରକ୍ତ ଭଣ୍ଡାର ଉପରେ ମଧ୍ୟ ଗୁରତ୍ୱ ଦିଆଯାଇଥିଲା ଏବଂ ଆବଶ୍ୟକ ହେଲେ ରକ୍ତ ଭଣ୍ଡାରରର ସୁ ବିନିଯୋଗ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆହତମାନଙ୍କ ମାନସିକତାକୁ ଲକ୍ଷ କରି ହେଲ୍ପଡେସ୍କର ସ୍ୱେଚ୍ଛାସେବି, ପ୍ୟାନେଲ ଓକିଲ ସମସ୍ତେ ମିଶି ଆହତମାନଙ୍କୁ ଆଶ୍ୱାସନା ଦେଇଥିଲେ ଏବଂ ଭଦ୍ରକ ପ୍ରଶାସନ ଜାରି କରିଥିବା ହେଲ୍ପ ଲାଇନ୍ ନମ୍ବର ମାଧ୍ୟମରେ ଏମ୍‌.ସ. ହସ୍‌ପିଟାଲ ଭୁବନେଶ୍ୱରରେ ଜଣେ ମୃତ ବ୍ୟକ୍ତି ଯାହାର ନାମ ସପନ ବିଶ୍ୱାସ, ସିରିଏଲ ନମ୍ବର ୧୫୪ ଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ ।