ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ପୋସ୍କୋ ଆଇନ୍, କିଶୋର କିଶୋରୀ ନ୍ୟାୟ ଆଇନ୍ ତଥା ଯୌନ ଉତ୍ପୀଡ଼ନ ଏବଂ ନିର୍ଯ୍ୟାତନାରୁ ସୁରକ୍ଷା ନିମିତ ବାଣିତିଆ ଅନ୍ତର୍ଗତ ବି.ଜେ. ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଭାତ କୁମାର ଦାସ, ଛାତ୍ର ସଂସଦ ସଭାପତି, ବି.ଜେ.ଉଚ୍ଚ ବିଦ୍ୟାଳୟ ବାଣିତିଆ, ଭଦ୍ରକ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ସଭାକର୍ଯ୍ୟ ସମ୍ବନ୍ଧରେ ସମ୍ୟକ ଆଲୋକପାତ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଡ଼. ଦେବରାଜ ପାଣିଗ୍ରାହୀ, ଅଧ୍ୟକ୍ଷ, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଭଦ୍ରକ, ଅବିନାସ ମହାନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧବକାରୀ, ଭଦ୍ରକ, ସୁବତ୍ର କୁମାର ଦାସ, ଲିଗାଲ ସୁରକ୍ଷା ଅଧିକାରୀ(ଶିଶୁ ଯତ୍ନ ବିଭାଗ), ଭଦ୍ରକ, ସଂଗ୍ରାମ ପଟ୍ଟନାୟକ, ଇନ୍ସ୍ପେକ୍ଟର ଜିଲ୍ଲା ଆରକ୍ଷୀ ବିଭାଗ, ଭଦ୍ରକ, କୃଷ୍ଣ ଚନ୍ଦ୍ର ସେନାପତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଗୋପିନାଥ ବେହେରା, ପ୍ରଧାନଶିକ୍ଷକ, ବି.ଜେ. ଉଚ୍ଚ ବିଦ୍ୟାଳୟ, ବାଣିତିଆ, ଭଦ୍ରକ, ବହ୍ନିଶିଖା ବିଶ୍ୱାଳ, ସହାୟକ, ଏଲ୍.ଏ.ଡ଼ିଏସ.ଏମ୍., ନ୍ୟାୟ ରକ୍ଷକ, ଭଦ୍ରକ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଗଣ ଏବଂ ଛାତ୍ରଛାତ୍ରୀମାନ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ପ୍ରଦାନ କରି ଅତିଥିମାନଙ୍କ ହସ୍ତରୁ ପୁରସ୍କାର ସ୍ୱରୂପ ପୁସ୍ତକ ଓ କଲମ ଗ୍ରହଣ କରିଥିଲେ ଏବଂ ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉତ୍ସାହିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କର ଏହି କମ୍ ବୟସରେ ସେମାନଙ୍କ ମାନସିକତାସ୍ତରରେ ପରିପକ୍ୱତା ଆସିନଥାଏ । ତେଣୁ ସେମାନଙ୍କୁ ସମାଜର ଏକ ମୁଖ୍ୟ ଭୂମିକା ଏବଂ ଦାୟିତ୍ୱ ସଂପାଦନ କରିବାକୁ ହେଲେ ପ୍ରଥମେ ନିଜକୁ ଏକ ଉତମ ମଣିଷ ଗଢ଼ି ତୋଳିବା ସଂଗେ ସଂଗେ ପାରିପାଶ୍ୱିକ ସ୍ତରରେ ସାମାଜିକ କ୍ଷେତ୍ରରେ ନିଜକୁ ନିଜର ହକ୍ ପାଇଁ ଲଢ଼େଇ କରନ୍ତୁ ଓ ନିଜ ଜାଣତରେ ଯଦି କିଛି ଅନ୍ୟାୟ କିମ୍ବା ଅପରାଧ ଘଟୁଛି ତେବେ ସ୍ୱର ଉତ୍ତୋଳନ କରି ପ୍ରତିବାଦ କରନ୍ତୁ । ସାନପିଲାମାନେ ମୋବାଇଲର ସଦୁପ ଯୋଗ କେବଳ କରିବା ଉଚିତ ଏବଂ ନିଜର ସୁରକ୍ଷା ତଥା ପରିବାରର ସୁରକ୍ଷା ନିମିତ୍ତ ପିଲାମାନେ ଶିକ୍ଷିତ ହୋଇ ସବୁକ୍ଷେତ୍ରରେ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କାର୍ଯ୍ୟକରିବାକୁ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ୧୦୯୮ – ଚାଇଲ୍ଡ ହେଲ୍ପ ଲାଇନ୍ ନମ୍ବର ତଥା ଆଇନ୍ ସେବା ନିମିତ ନାଲସା ଦେୟ ମୁକ୍ତ ନମ୍ବର ୧୫୧୦୦କୁ ମାଗଣାରେ ଯୋଗାଯୋଗ ନିମିତତ୍ତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପିନାଥ ବେହେରା ଆଜିର ସଚେତନତା କାର୍ଯ୍ୟକ୍ରମର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସଂଗେ ସଂଗେ ଛାତ୍ରଛାତ୍ରୀମାନଙ୍କୁ ମନ ଲଗାଇ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ ।