Odiapua.com

ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦେବାଶିଷ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର

କେନ୍ଦ୍ରାପଡ଼ା ୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ଅନୁସୁଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦେବାଶିଷ ସେଠୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ସୂର୍ଗତ ନିରଞ୍ଜନ ସେଠୀଙ୍କ ଏକମାତ୍ର ପୁତ୍ର ଦେବାଶିଷ ସେଠୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଯୁବ ପରିଷଦର ସଭାପତି ହଳଧର ସେଠୀଙ୍କ ନେତୃତ୍ୱରେ ଦେବାଶିଷର ବିଧବା ମା’ଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ସବଇନିସପେକ୍ଟର ଚନ୍ଦ୍ରିକା ମହାପାତ୍ର ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ଦିନଧରି ଦେବାଶିଷଙ୍କୁ ପ୍ରେମ କରିଆସୁଥିଲେ। ଏପରିକି ଦୁହେଁ ଏକତ୍ର ବାସକରିବା ସହ ବୁଲାବୁଲି କରିବା, ହୋଟେଲ ଓ ଲଜରେ ରହିବା ସହ କାରରେ ବିଭିନ୍ନ ଜିଲ୍ଲାକୁ ଯିବାଆସିବା କରୁଥିଲେ ବୋଲି ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଥାନା ପରିସରରେ ମଧ୍ୟ ଦେବାଶିଷଙ୍କ ସହ ଚନ୍ଦ୍ରିକା ଅନେକ ସମୟ କଟାଇଥିବା ଓ ଚନ୍ଦ୍ରିକାଙ୍କ ପଟ୍ଟାମୁଣ୍ଡାଇସ୍ଥିତ ବାସଭବନରେ ଦେବାଶିଷ ବହୁ ସମୟରେ ରହୁଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ପାଠପଢା ସମୟରୁ ଉଭୟ ଦେବାଶିଷ ଓ ଚନ୍ଦ୍ରିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି କହିଛନ୍ତି ଦେବାଶିଷଙ୍କ ମା’ଭଗବତୀ ସେଠୀ। ସେହି ପ୍ରେମ ସମ୍ପର୍କକୁ ବୈବାହିକ ଜୀବନରେ ପରିଣତ କରିବାକୁ ଦେବାଶିଷ ଓ ତାଙ୍କ ପରିବାର ପକ୍ଷରୁ ବହୁ ଥର କୁହାଯାଇଥିଲେ ମଧ୍ୟ ଚନ୍ଦ୍ରିକା ସେକଥାକୁ ଏଡାଇ ଯାଇଥିବା ଏବଂ ଚନ୍ଦ୍ରିକାଙ୍କ ପରିବାର କୁମୁଟି ସମ୍ପ୍ରଦାୟର ହୋଇଥିବା ବେଳେ ଦେବାଶିଷଙ୍କ ପରିବାର ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଚନ୍ଦ୍ରିକାଙ୍କ ପରିବାର ଓ ବନ୍ଧୁବାନ୍ଧବ ଏହି ବିବାହ ପାଇଁ ପ୍ରତିବନ୍ଧକ ହେଉଛନ୍ତି ବୋଲି ଚନ୍ଦ୍ରିକା ବିବାହ ପାଇଁ ସମୟ ଗଡାଇ ଚାଲିଥିଲେ ବୋଲି ଅଭିଯୋଗ ହୋଇଛି। ଚନ୍ଦ୍ରିକାଙ୍କ ପ୍ରସ୍ତାବ ଅନୁଯାଇ ବାଙ୍ଗାଲୋରରେ ରହୁଥିବା ତାଙ୍କ ସାନଭାଇର ବିବାହ ଆଗେ ହୋଇଗଲେ ତାଙ୍କ ସାହି-ଭାଇଙ୍କ ପକ୍ଷରୁ ଏହି ଆନ୍ତଃଜାତି ବିବାହ ପାଇଁ ସାମାଜିକ ବାଛନ୍ଦର ଭୟ ରହିବ ନାହିଁ। ଏଣୁ ଚନ୍ଦ୍ରିକାଙ୍କ ଏହି ପ୍ରସ୍ତାବରେ ଦେବାଶିଷଙ୍କ ମା’ ଭଗବତୀ ସେଠୀ, ଭଉଣୀ ଓ ଭିଣୋଇ ରାଜି ହୋଇ ସେମାନଙ୍କ ବିବାହ ପାଇଁ ଅଧିକ ସମୟ ଅପେକ୍ଷା କରିଥିଲେ। ପୂର୍ବରୁ ପ୍ରାୟ ଦେଢମାସ ତଳେ ଏହି ବିବାହକୁ ନେଇ ଉଭୟ ଦେବାଶିଷ ଓ ଚନ୍ଦ୍ରିକାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ବେଳେ ଭୁବନେଶ୍ୱରରେ ଉଭୟଙ୍କ ସାଙ୍ଗସାଥି ମିଶି ଉଭୟଙ୍କୁ ମିଳାମିଶା କରାଇଥିଲେ। ଗତ ୨୦ଦିନ ହେବ ଦେବାଶିଷଙ୍କ ମାନସିକ ସ୍ଥିତି ଭଲନଥିବା ଓ ସେ ବାରମ୍ବାର ପଟ୍ଟାମୁଣ୍ଡାଇସ୍ଥିତ ଚନ୍ଦ୍ରିକାଙ୍କ ବାସଭବନକୁ ଯାଉଥିବା ଦେବାଶିଷଙ୍କ ସମ୍ପର୍କୀୟମାନେ କହିଛନ୍ତି। ଗତ ଜୁଲାଇମାସ ୩ତାରିଖ ସନ୍ଧ୍ୟାରେ ଜରୁରୀ କଥାବାର୍ତ୍ତା ଅଛି ବୋଲି ଟେଲିଫୋନ ପାଇ ଦେବାଶିଷ ୪ତାରିଖ ସକାଳେ ତାଙ୍କ ଜମଧର ଗ୍ରାମରୁ ସ୍କୁଟି ଆଭେଟର ଯୋଗେ ପୁରୀ ଯାଇଥିଲେ। ସେହିଦିନ ସନ୍ଧ୍ୟା ୮ଟା ୨୦ମିନିଟ ସମୟରେ ପୁରୀ ଦୋଳମଣ୍ଡପସାହିର ନିରୂପମା ମହାପାତ୍ର ନାମକ ଜଣେ ମହିଳା ଦେବାଶିଷ ଭାର୍ଗବୀ ନଦୀ ମୁହାଣରୁ ନିଖୋଜ ହୋଇଯାଇଥିବା ଦେବାଶିଷଙ୍କ ମା’ଙ୍କୁ ଟେଲିଫୋନରେ ଜଣାଇଥିଲେ। ଏତଦବ୍ୟତିତ ଦେବାଶିଷଙ୍କ ମୃତଦେହକୁ ବଳିଆପଣ୍ଡାସ୍ଥିତ ଭାର୍ଗବୀ ନଦୀ ମୁହାଣରୁ ଅଗ୍ନିଶମ ବାହିନୀ ପାଇନଥିବା ବେଳେ ଚନ୍ଦ୍ରିକାଙ୍କ ଦ୍ୱାରା ପ୍ରେରିତ ୨ଜଣ ବ୍ୟକ୍ତି ଅନାୟାସରେ ଖୋଜି ପାଇଥିବା ଦେବାଶିଷଙ୍କ ପରିବାର ଲୋକଙ୍କ ମନରେ ଦେବାଶିଷଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଦୃଢିଭୁତ କରିଛି। ଏସମ୍ପର୍କରେ ପୁରୀ ବଳିଆପଣ୍ଡା ଥାନାରେ ଅଭିଯୋଗ କ୍ରମେ ଥାନା କେଶ ନମ୍ବର ୭୧/୨୦୨୦ରେ ଆଇପିସିର ଧାରା ୩୦୨ ଓ ୩୪ଦଫାରେ ମାମଲା ରୁଜୁ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଦେବାଶିଷଙ୍କ ମୃତଦେହ ଉଦ୍ଧାର ସମୟରେ ଭାର୍ଗବୀ ନଦୀ ମୁହାଣରୁ ହତ୍ୟାକାରୀ ଚନ୍ଦ୍ରିକାଙ୍କ ସାଙ୍ଗ ସାହେବ ଓରଫ ମନୋଜ ମହାପାତ୍ର ଓ ଦାଦା ଓରଫ ପ୍ରମଥ ବିଶ୍ୱାସ ଙ୍କ ଦ୍ୱାରା ବ୍ୟବହୃତ ମାରୁତି ୱାଗନର ନମ୍ବର – ଓଡି – ୧୦ଡି- ୧୨୯୧ ଭିତରେ ଭଙ୍ଗା ମଦ ବୋତଲ, ଦେବାଶିଷଙ୍କ ଟି ସାର୍ଟ, ଜିନପ୍ୟାଂଟ, ଇନହେଲର, ମଦ ଗ୍ଲାସ, ବ୍ୟବହୃତ ଘରୋଇ ତକିଆ, ବେଡସିଟ, ଆଧାରକାର୍ଡ ଓ ସ୍କୁଟି ଚାବି ପ୍ରଭୃତି ରହିଥିବା ଦେଖାଯାଇଛି। ଗାଡିର ଚାଳକ ସିଟରେ ବହୁତ ଗୁଡିଏ ବାଲି ପଡିଥିବା ଦେଖିବାକୁ ମିଳିଥିଲା ବୋଲି ଅଭିଯୋଗ ହୋଇଛି। ଦେବାଶିଷଙ୍କ ମୁହଁ, ନାକ ଓ ଆଖିରେ ଖଣ୍ଡିଆ ଦାଗ ସହ ରକ୍ତ ଲାଗିଥିବା ଯୋଗୁଁ ଏହା ପ୍ରମାଣ କରୁଛି ଯେ ଦେବାଶିଷଙ୍କୁ ପାଣିରେ ପକାଇବା ପୂର୍ବରୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଚନ୍ଦ୍ରିକା ସମେତ ମନୋଜ ଓ ପ୍ରମଥଙ୍କୁ ତୁରନ୍ତ ଗିରଫ କରାଯିବା ସହ ଦେବାଶିଷଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ କରାଯିବାକୁ ଦାବି କରାଯାଇଛି। ଦେବାଶିଷଙ୍କ ମା’ ଭଗବତୀ ସେଠୀ, ଜିଲ୍ଲା କଂଗ୍ରେସ ଅନୁସୁଚିତ ଜାତି ସେଲର ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, ରମେଶ ଚନ୍ଦ୍ର ମଳିକ, ଦିଲ୍ଲିପ କୁମାର ମଳିକ, ଖଗେଶ୍ୱର ମଳିକ, ତପନ ମଳିକ, ସୁବଳ ପାତ୍ର, ଅଲେଖ ମଳିକ, ବିଷ୍ଣୁ ଚରଣ ମଳିକ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।