Odiapua.com

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କର୍ମଶାଳା, ୫୦ଜଣ ଉଦ୍ୟୋଗୀଙ୍କୁ ଦିଆଗଲା ଗୋ ଆହେଡ଼୍ ଆଦେଶ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକ ରୁ ଅଧିକ ଉଦ୍ୟୋଗୀ ମାନଙ୍କୁ ସାମିଲ କରାଯିବା ଉଦ୍ଦେଶ୍ୟରେ ଯୋଜନା ସମ୍ବନ୍ଧୀୟ ସଚେତନତା ଓ ସାମିଲ ହେବା ପ୍ରକିୟା ସମ୍ବନ୍ଧରେ ଅବଗତ କରାଯିବା ପାଇଁ ଆଜି ଜିଲ୍ଲା ସଂସ୍କୃତି ଭବନରେ ଏକ ମେଗା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର କୃଷି ବିଭାଗ ଜରିଆରେ ଆୟାଜିତ ଏହି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ବେକାରୀ ସମସ୍ୟା ସମାଧାନ ହେଉ କି ମହିଳା ମାନଙ୍କ ରୋଜଗାର ହେଉ ଏଥିପାଇଁ ଯେତେ ବି ଯୋଜନା ଅଛି ଏମ୍‌.କେ.ୟୁ.ୱାଇ. ସର୍ବୋତ୍କଷ୍ଟ ଯୋଜନା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଥିରେ ୪୦% ସବ୍‌ସିଡ଼ି ଥିଲାବେଳେ ମହିଳା ଦଳ, ଦିବ୍ୟାଙ୍ଗ ଆଦିଙ୍କ ପାଇଁ ୫୦% ସବ୍‌ସିଡ଼ି ଅଛି। ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡ଼ି ବା ଲାଭ ଏହି ଯୋଜନାରେ ମିଳି ପାରିବ। ମତ୍ସ୍ୟ, କୁକୁଡ଼ା, ଗୋପାଳନ, ଛେଳି, ଉଦ୍ୟାନ କୃଷି, ମିଶ୍ରିତ କୃଷି, କୃଷି ଏବଂ କୃଷି ଯନ୍ତ୍ରପାତି, ଦୁଗ୍‌ଧ ପ୍ରକ୍ରିୟାକରଣ ଆଦି ଚାଷ ସମ୍ବନ୍ଧୀୟ ଯେ କୌଣସି ପ୍ରକଳ୍ପ ପାଇଁ ଏହି ଯୋଜନାରେ ଆବେଦନ କରି ପାରିବେ। ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ସରଳ କରାଯାଇଥିବା ସହ ୫୨ଦିନ ମଧ୍ୟରେ ମଞ୍ଜୁରୀ କରାଯିବା ନେଇ ସମୟ ଧାର୍ଯ୍ୟ ବ୍ୟବସ୍ଥା ଅଛି। ଏହି ଯୋଜନାରେ ସର୍ବନିମ୍ନ ବାର୍ଷିକ ୨ଲକ୍ଷ ଟଙ୍କା ଲାଭ ମିଳିବା ଭଳି ପ୍ରକଳ୍ପ ଉଦ୍ୟୋଗୀମାନଙ୍କୁ କରିବାକୁ ହେବ।

ଏହି ଯୋଜନାରେ ୯୯ଟି ପ୍ରକଳ୍ପ ଅଛି। ପ୍ରତି ବ୍ଲକ୍‌ରେ ୧୫୦ଟି ଲେଖାଏଁ ଉଦ୍ୟୋଗ ପାଇଁ ଟାଇମ୍ ଲାଇନ୍ କରାଯାଇଛି। ନିଜ ନାମରେ କିମ୍ବା ନିଜ ସ୍ତ୍ରୀ ନାମରେ ଜମି ଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ। ଏପରିକି ରାଜ୍ୟ ବାହାରେ ଥିବା ଲୋକ ର ନାମରେ ଜାଗା ଥିଲେ ଏବଂ ସେ ଆଗ୍ରହୀ ଥିଲେ ଏହି ଯୋଜନାରେ ପ୍ରକଳ୍ପ କରିପାରିବେ। ପ୍ରକଳ୍ପ ପାଇଁ ପ୍ରଥମେ ଡ଼ି.ପି.ଆର୍‌. ପ୍ରସ୍ତୁତ କରି ସୁଗମ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ୫୨ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହୋଇ ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ କ୍ରମେ ଗୋ ଆହେଡ଼୍ ଆଦେଶ ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଜିଲ୍ଲାପାଳ ଆଜିର କର୍ମଶାଳାରେ ୫୦ଜଣ ଉଦ୍ୟୋଗୀଙ୍କୁ ଏହି ଆଦେଶ ପ୍ରଦାନ କରିଛନ୍ତି। ଏଥିପାଇଁ ସମୁଦାୟ ୭, ୧୨, ୮୩, ୧୪୫ ଟଙ୍କାର ପ୍ରକଳ୍ପ କ୍ଷେତ୍ରରେ ୩, ୦୯, ୧୬, ୯୫୩ ଟଙ୍କାର ସବ୍‌ସିଡ଼ି ବ୍ୟବସ୍ଥା ରହିଛି। ପ୍ରଦତ୍ତ ୫୦ଟି ଆଦେଶ ମଧ୍ୟରେ ଉଦ୍ୟାନ କୃଷିରେ ୩୯ଟି, ପ୍ରାଣୀ ସମ୍ପଦରେ ୫ଟି, କୃଷିରେ ୪ଟି ଓ ସମନ୍ୱିତ କୃଷିରେ ୨ଟି ଅନ୍ତର୍ଭୁକ୍ତ। ଏମାନଙ୍କ ମଧ୍ୟରୁ ୧୧ଜଣ ଉଦ୍ୟୋଗୀଙ୍କୁ ଏହି ପ୍ରକଳ୍ପ ପାଇଁ ବ୍ୟାଙ୍କ ତରଫରୁ ଋଣ ଯୋଗାଇ ଦିଆଯାଇଥିଲା ବେଳେ ଅନ୍ୟମାନେ ନିଜସ୍ୱ ଖର୍ଚ୍ଚରେ ପ୍ରକଳ୍ପ କରିବା ନେଇ ସୂଚନା ପ୍ରଦାନ କରାଯାଇଛି। ଏହି ଯୋଜନାର ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଆପିକଲ ତରଫରୁ ଭୁବନେଶ୍ୱ ରୁ ଆସିଥିବା ଉଦ୍ୟାନକୃଷିର ସ୍କିମ୍ ଅଫିସର ସଙ୍ଗୀତା ନାୟକ ଏବଂ ପ୍ରାଣୀ ସମ୍ବଳ ଉନ୍ନୟନ ଅଧିକାରୀ ପି.କେ.ମିଶ୍ରଙ୍କ ସହ ଭଦ୍ରକ ଜିଲ୍ଲାର ସି.ଡ଼ି.ଭି.ଓ ଶୁଭେନ୍ଦୁ ମୋହନ ମିଶ୍ର, ମୁଖ୍ୟ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସ ରଞ୍ଜନ ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀଧର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ଅରୁଣ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ।