Odiapua.com

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାଜ୍ୟ ଲୋକକଳା ସଂଘ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ପାଇଁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସଦସ୍ୟା ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକକଳାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜେଡ଼୍‌.କେ.ଏସ୍‌.ଏସ୍‌ର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଅତିଥି ପରିଚୟ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ଲକସ୍ତରୀୟ ପ୍ରତିଯୋଗିତା ଜରିଆରେ ପ୍ରତିବ୍ଲକ୍‌ରୁ ୨ଟି ଲେଖାଁଏ ଏବଂ ଭଦ୍ରକ ମ୍ୟୁନିସ୍‌ପାଲିଟିରୁ ୨ଟି ସମୁଦାୟ ୧୬ଟି ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ । ପାଲା, ଦାଶକାଠିଆ, ଘୋଡ଼ାନାଚ, ଢ଼ୋଲକ ବାଦ୍ୟ, ଘଣ୍ଟ ବାଦ୍ୟ, ଢ଼ୋଲ ମହୁରୀ, ଲଉଡ଼ି ଆଦି ଲୋକକଳା ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେଥି ମଧ୍ୟରେ ତିହିଡ଼ିର ଭାରତୀ ପାଲା ପରିଷଦ ପ୍ରଥମ, ଭଦ୍ରକର ମ୍ୟୁନିସ୍‌ପାଲିଟିର ନଟରାଜ ସାଂସ୍କୃତିକ ଅନୁଷ୍ଠାନର ଘୋଡ଼ାନାଚ ୨ୟ ଏବଂ ଭଦ୍ରକ ବ୍ଲକ୍‌ର ଦାଣ୍ଡ ସୁନାମୁଖୀ ପାଲା ଅନୁଷ୍ଠାନ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦତ୍ତ ଟ୍ରଫି ଗ୍ରହଣ କରିଥିଲେ । ଏହି ପୁରସ୍କାର ବିତରଣ ଓ ଉଦ୍‌ଯାପନୀ ସଭା ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଦିନତମାମ୍ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ବିଚାରକ ଭାବେ ବାଲେଶ୍ୱରରୁ ଅମ୍ରିତାଂଶୁ ପଟ୍ଟନାୟକ, ଅଜିତାନନ୍ଦ ଦେବଗୋସ୍ୱାମୀ, ଆନନ୍ଦପୁରରୁ ଶମ୍ବୁନାଥ ରଣା ଓ ଅଲେଖ ଚନ୍ଦ୍ର ସେଠୀ, ବନ୍ତର ନାଟ୍ୟକାର ସୁଧାଂଶୁ ନାୟକ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । ବି.କେ.ଏସ୍‌.ଏସ୍‌.ର ସମସ୍ତ ବ୍ଲକ ଓ ଏନ୍‌.କେ.ଏସ୍‌.ଏସ୍‌. ଓ ଜେଡ଼୍‌.କେ.ଏସ୍‌.ଏସ୍‌ର ଉପସଭାପତି ପ୍ରମୁଖ ଉପସ୍ଥିତି ରହି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟକି ଜିଲ୍ଲାସ୍ତରରେ ପ୍ରଥମ ହୋଇଥିôବା ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଏବଂ ଅନ୍ୟ ଦୁଇଦଳକୁ ଭବିଷ୍ୟତରେ ରାଜ୍ୟ ତରଫରୁ ମଧ୍ୟ ସୁଯୋଗ ଦିଆଯାଇପାରେ ।