Odiapua.com

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ପ୍ରଳୟଙ୍କରୀ ମହାବାତ୍ୟା ହଜାର ହଜାର ଲୋକଙ୍କ ପ୍ରାଣ ନେଇ ଯାଇଥିଲା । ବହୁ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ଯାହାକୁ ମନେ ପଡିଲେ ଏବେ ମଧ୍ୟ ସମଗ୍ର ରାଜ୍ୟବାସୀ ଆତଙ୍କିତ ହୋଇପଡନ୍ତି । ଆଜି ସେହି ଅକ୍ଟୋବର ୨୯ ଯାହାକୁ ରାଜ୍ୟ ସରକାର ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରିଆସୁଛନ୍ତି । ସେହି ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯାଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେହି ପ୍ରଳୟଙ୍କରୀ ଦିବସକୁ ମନେ ପକାଇବା ସହ ଆଗାମୀ ଭବିଷ୍ୟତରେ ଆଉ ସେଭଳି ଦିନ ନ ଆସୁ ବୋଲି କହିଥିଲେ । ବାତ୍ୟାରେ ଜୀବନ ହରାଇଥିବା ହଜାର ହଜାର ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ. ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର ଜିଲ୍ଳାସ୍ତରୀୟ ଅଧିକାରୀ, କର୍ମଚାରୀଙ୍କୁ ଶପଥ ପାଠ କରାଇ ଆଇନ ଅନୁଯାୟୀ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟର ବିଶ୍ୱାସର ସହ ଦାୟିତ୍ୱ ସମ୍ପନ୍ନ କରିବା, ଜିଲ୍ଲା ଓ ତାର ଜନସାଧାରଣଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ଓ ଆସ୍ଥା ପ୍ରକଟ କରାଯିବ, କୌଣସି ଭୟ କିମ୍ବା ଦୟା, ପ୍ରେମ ଓ ଘୃଣାରେ ପ୍ରଭାବିତ ନ ହୋଇ ଆଇନ ପ୍ରଣୋଦିତ ପବିତ୍ର ସମ୍ବିଧାନର ସୁରକ୍ଷା ଓ ସମର୍ଥନ ଦେବା ସହ ସଭିଙ୍କୁ ସମାନ ଆଚରଣ ପ୍ରଦର୍ଶନ ପୂର୍ବକ ପରିବେଶର ସୁରକ୍ଷା କରିବା, ଜିଲ୍ଳାର ଜନସାଧାରଣଙ୍କ ଧନ ଜୀବନ ଓ ସ୍ଥାୟୀ ସୁରକ୍ଷା ପାଇଁ କୌଣସି ବିପର୍ଯ୍ୟୟ ମନୁଷ୍ୟ କୃତ ଏବଂ କଳହକୁ ଉସୁକାଉଥିବା ଜରୁରୀ ପରିସ୍ଥିତିରେ ନିଜକୁ ଉତ୍ସର୍ଗ କରିବା, ବ୍ୟକ୍ତିଗତ ଓ ପେଷାଗତ ଭାବେ ପରିବେଶ ସମ୍ବନ୍ଧୀୟ ପୋଷଣ ମାନଦଣ୍ଡ ସୃଷ୍ଟି କରି ତାହାକୁ କଡାକଡି ପାଳନ କରିବା, ଜରୁରୀ ସମୟରେ ଜିଲ୍ଳାର ନାଗରିକ ଓ ସମ୍ପଦର ସୁରକ୍ଷା ନିମିତ୍ତ ନିଜକୁ ଉତ୍ସର୍ଗ କରିବାକୁ ଜିଲ୍ଲାପାଳ ଶପଥ ମାଧ୍ୟମରେ ଆହ୍ୱାନ ଦେଇଥିଲେ ।