ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବରିଷ୍ଠମାନେ ଆମ ସମାଜର ମାର୍ଗଦର୍ଶକ । ସେମାନଙ୍କର ଅଭିଜ୍ଞତା ଆମ ପାଇଁ ଆଶୀର୍ବାଦ। ସେମାନଙ୍କ ଆଦେଶ, ଉପଦେଶ ଗ୍ରହଣ କଲେ, ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କଲେ, ଆବଶ୍ୟକ ସମୟରେ ସେମାନଙ୍କ ସାହାରା ବନିଲେ, ସେବା କଲେ ଆମ ଉପରେ ସେମାନଙ୍କର ଅଦୃଶ୍ୟ ଆଶୀର୍ବାଦ ଝରିପଡ଼େ । ଯାହା ଆମ ଜୀବନର ଚଲାପଥକୁ କୁସୁମିତ କରେ । ବରିଷ୍ଠ ମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଭାବ ରହିଲେ ଉଭୟଙ୍କୁ ତୃପ୍ତି ମିଳେ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବରେଣ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଅତିରିକ୍ତ ଏସ୍.ପି. ବାସୁଦେବ ସ୍ୱାଇଁ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ଏବଂ ସଂଯୋଜକ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ଦିବସ ପାଳନର ଆଭିମୁଖ୍ୟ ଓ ବରିଷ୍ଠମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ। ଜିଲ୍ଲାରେ ୨୫ଟି ବରିଷ୍ଠ ନାଗରିକ ସଂଘ ଗଠନ ହୋଇଥିବା, ସେଥିରୁ ୧୫ଟି ପଞ୍ଜିକୃତ ହୋଇଥିବା ବିଷୟରେ ସୂଚନା ପ୍ରଦାନ କରିିବା ସହ ବରିଷ୍ଠ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଶ୍ରୀଯୁକ୍ତ ମହାପାତ୍ରଙ୍କ ତରପରୁ ପ୍ରସ୍ତାବ ଦିଆଯାଇଥିଲା। ସମସ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଜଣେ ଜଣେ ସମାଜସେବୀ ହିସାବରେ ବରିଷ୍ଠ ମାନଙ୍କ ପାଇଁ ନିଜକୁ ସମର୍ପିତ କରି ଆସୁଥିବା ଓ ସମାଜର ଅବହେଳିତ ବର୍ଗଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ୧୬ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ସରମଙ୍ଗାର ବସନ୍ତ କୁମାର ମହାପାତ୍ର, ଛଂଚିଣା, ଭଣ୍ଡାରିପୋଖରୀର ବାମନ ଚରଣ ଘଡ଼େଇ, ବାଲିପାଟଣା, ମଉଦାର ସୁଧାକର ରାଉତ, ପୁନର୍ବାସ ସଂସ୍ଥା ଓ ଗବେଷଣା କେନ୍ଦ୍ର ଚରମ୍ପାର ମୁଖ୍ୟ ନିର୍ବାହୀ ଡା. ଭଗବାନ ପରିଡ଼ା, ମନ୍ତାଗଡ଼ିଆ, ମଞ୍ଜୁରୀରୋଡ଼ର ବିଶ୍ୱନାଥ ବାରିକ, ବଙ୍କସାହିର ରାଧାରାଣୀ ମହାପାତ୍ର, ଭକ୍ତି ବ୍ରହ୍ମପୁର, ଅର୍ଣ୍ଣପାଳର ରଘୁନାଥ ସାହୁ, ସୁଆଁ, ଇରମର ଦିବାକର ସାମଲ, ଗୋଳାପୋଖରୀର ସୁରେନ୍ଦ୍ର କୁମାର ନାୟକ, ବଳଭଦ୍ରପୁରର ଜଗନ୍ନାଥ ରାୟ, ତ୍ୟାଗଭୂମିର ପ୍ରତିଷ୍ଠାତା ଅଜୟ କୁମାର ନାୟକ, ଅପର୍ତିପୁର, ବାସୁଦେବପୁରର ଗଣେଶ ଚନ୍ଦ୍ର ଦୀକ୍ଷିତ, ଦେହୁଡ଼ି, ଆନନ୍ଦପୁର, ଧାମନଗରର ଅରୁଣ କୁମାର ପରିଡ଼ା, ଅଣ୍ଢିଆ, ବନ୍ତର ରବୀନ୍ଦ୍ର ନାଥ ଧଳ, ବାସୁଦେବପୁର ଭଦ୍ରକର ଦୁଶାସନ ରାଉତ, କୁଆଁସ ଭଦ୍ରକର ଲଲାଟେନ୍ଦୁ ମହାନ୍ତି। ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ବି.ଏସ୍.ଏସ୍.ଓ. ଭଦ୍ରକର ସୌମ୍ୟଜିତ୍ ବେହେରା, ଧାମନଗରର ଯଶୋଦାରାଣୀ ସାହୁ, ବନ୍ତର ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ।