Odiapua.com

ଜିଲ୍ଲାସ୍ତରୀୟ ଦିନିକିଆ ମିନି ନିଯୁକ୍ତି ମେଳା ଆୟୋଜିତ, ୬୬୭ ପଞ୍ଜିକୃତ ୨୧୬ ତାଲିକା ଭୁକ୍ତ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଭଦ୍ରକ ଜିଲ୍ଲା ସ୍ତରୀୟ ଦିନିକିଆ ମିନି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଅନ୍ୟତମ ଭଦ୍ରକ ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ପ୍ରମୁଖ ଯୋଗଦେଇ ନିଯୁକ୍ତି ଆଶାୟୀ ମାନଙ୍କ ପାଇଁ ନିଯୁକ୍ତି ମେଳାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ କରିଥିଲେ । ଯୁବ ବେକାରୀମାନେ ଏହି ମେଳାରେ ଉପଲବ୍‌ଧ ସମସ୍ତ ସୁବିଧା ସୁଯୋଗକୁ ପୂର୍ଣ୍ଣ ମାତ୍ରାରେ ସଦୁପଯୋଗ କରିବାକୁ ସେମାନେ ପରାମର୍ଶ ପ୍ରଦାନ କରିଥିଲେ । ଅତିଥିମାନେ ସମସ୍ତ କାଉଣ୍ଟର ବୁଲି ଚାକିରି ପ୍ରଦାନ ବିଷୟରେ ପଚାରି ବୁଝିଥିଲେ । ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଏହି ନିଯୁକ୍ତି ମେଳା ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ନିୟୋଜନ ଅଧିକାରିଣୀ ଅନୀତା ନାୟକ ମେଳା ଆୟୋଜନର ଆଭିମୁଖ୍ୟ ଓ ମେଳାର ଯୋଗ ଦେଇଥିବା ନିଯକ୍ତି ପ୍ରଦାନକାରୀ କମ୍ପାନୀ ମାନଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଏହି ମେଳାରେ ସମୁଦାୟ ୨୨ ଟି କମ୍ପାନୀ ନିଯୁକ୍ତି ଦାତାଭାବେ ସାମିଲ ଥିଲେ । ସମୁଦାୟ ୬୬୭ ସଂଖ୍ୟକ ନିଯୁକ୍ତି ଆଶୀୟ ଏହି ମେଳା ଜରିଆରେ ନିଯୁକ୍ତି ପାଇବା ଆଶାରେ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରେ ୨୧୬ ନିଯକ୍ତି ଆଶାୟୀ ପ୍ରାର୍ଥୀଙ୍କୁ ସଂପୃକ୍ତ କମ୍ପାନୀ ମାନଙ୍କ ଜରିଆରେ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଧାରଣ କରାଯାଇ ତାଲିକା ଭୁକ୍ତ କରାଯାଇଛି ।