ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବାହ୍ନ ୧୦ ଘ. ସମୟରେ ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଉତ୍ସବ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରୂପାଲୀ ମିତ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଯୋଗ ଦେଇ ଶିଶୁ କନ୍ୟାମାନଙ୍କର ସ୍ୱାସ୍ଥ୍ୟ,ଖାଦ୍ୟ,ଶିକ୍ଷା ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା କଲ୍ୟାଣ ଅଧିକାରୀ,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ସହାୟକ ଜିଲ୍ଲା ସୂଚନା ଏବଂ ଜନସଂପର୍କ ଅଧିକାରୀ ଏବଂ ଶିକ୍ଷା ବିଭାଗ ମୁଖ୍ୟ ,ଭଦ୍ରକ ମହିଳା ମହାବିଦ୍ୟାଳୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁ କନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାର ଉପରେ ଆଲୋକପାତ କରିଥିଲେ। ଶିକ୍ଷା କ୍ଷେତ୍ରରେ ଜିଲ୍ଲା ସଫଳ ବ୍ୟକ୍ତି ଭାବେ ସ୍ୱୟଂପ୍ରଭା ନାୟକ , କଳା କ୍ଷେତ୍ରରେ ଜିଲ୍ଲା ସଫଳ ବ୍ୟକ୍ତି ଭାବେ କ୍ରିତି କ୍ରିଷ୍ଣା ପଣ୍ଡା ଏବଂ କ୍ରୀଡା କ୍ଷେତ୍ରରେ ଜିଲ୍ଲା ସଫଳ ବ୍ୟକ୍ତି ଭାବେ ଯିଶମୟି ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ସ୍ଲୋଗାନ ଏବଂ ଭାଷଣ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଚେତନମୂଳକ ବାର୍ତା ଥିବା ଧାମନଗର ସମନ୍ୱିତ ଶିଶୁ ବିକାଶ ସେବା ପ୍ରୋଜେକ୍ଟର କିଶୋରୀ ବାଳିକାମାନଙ୍କଦ୍ୱାରା ଏକକ ଅଭିନୟ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ , ସୁପର୍ଭାଇଜର, ଅଙ୍ଗନୱାଡ଼ି ୱର୍କର,ଅଙ୍ଗନୱାଡ଼ି ହେଲପର,ଆଶା, ଏନମ, ଏସ ଏଚ ଜି ସଦସ୍ୟମାନେ, ଅଦ୍ୱିକା ବାଳିକାମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହିଳା ସଶକ୍ତିକରଣ ଜିଲ୍ଲା କେନ୍ଦ୍ରର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ତଥା ପ୍ରୋଟେକ୍ସନ ଅଫିସର ସବିତା ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।