Odiapua.com

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ଜିଲ୍ଲା ସଂସ୍କୃତି ଭବନରେ ଭଦ୍ରକ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ଗଠନରେ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ସମ୍ବନ୍ଧରେ ଆଲୋକପାତ କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କ ସହଯୋଗର ପ୍ରଶଂସା କରିଥିଲେ। ସୁଶାସନ ଓ ସୁସ୍ଥ ସମାଜ ପାଇଁ ଯାହା ବି ପଦକ୍ଷେପ ନେବାର ଆବଶ୍ୟକତା ଅଛି କି କୌଣସି ଠାରେ କିଛି ବି ଅନିୟମିତତା ଲକ୍ଷ୍ୟ କରୁଛନ୍ତି ଗଣମାଧ୍ୟମ ଜରିଆରେ ହେଉ କି ପ୍ରତ୍ୟକ୍ଷଭାବେ ମଧ୍ୟ ପ୍ରଶାସନକୁ ଜଣାଇ ପାରିବେ ବୋଲି ଜିଲ୍ଲାପାଳ ଉପସ୍ଥିତ ସାମ୍ବାଦିକମାନଙ୍କୁ ଜଣାଇଥିଲେ। ଦିବସ ପାଳନ ନେଇ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ବିଭାଗର ପ୍ରାଧ୍ୟାପକ କ୍ଷୀରୋଦ କୁମାର ସାମଲ ସାହିତ୍ୟ ଓ ସମ୍ବାଦ କିପରି ଓତଃପ୍ରୋତ ଭାବେ ଜଡ଼ିତ ଏବଂ ଉଭୟ କିପରି ସମାଜର ରାଷ୍ଟ୍ରର ହିତ ସାଧନ କରିଥାନ୍ତି ବକ୍ତବ୍ୟ ଆଧାରରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ, ଅବାଧ, ମୁକ୍ତ, ନିରପେକ୍ଷ ସାମ୍ବାଦିକତାର ଆବଶ୍ୟକତା ଓ ଏଥିପାଇଁ ଥିବା ବାଧକ, ସାମ୍ବାଦିକ ସୁରକ୍ଷା ସମସ୍ୟା ଆଦି ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଥିଲେ। ସାମ୍ବାଦିକମାନଙ୍କ ମଧ୍ୟରେ ପ୍ରମୋଦ କୁମାର ରାୟ, ରାଜେନ୍ଦ୍ର କୁମାର ଜେନା, ଦୁର୍ଗା ଶଙ୍କର ବିଶ୍ୱାଳ, ପ୍ରତାପ କୁମାର ଦାସ, ଗୌରହରି ନାୟକ, ଆର.ବି.ଚାରୁଦତ୍ତ ନାୟକ, ରୂପକ ବିହାରୀ ରାୟ, ଦିଲ୍ଲୀପ କୁମାର ଖୁଣ୍ଟିଆ ପ୍ରମୁଖ ଆଲୋଚ୍ୟ ବିଷୟ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ନିରପେକ୍ଷ ସାମ୍ବାଦିକତା ପାଇଁ ଆବଶ୍ୟକ ପ୍ରଶାସନିକ ସହଯୋଗ, ସାମ୍ବାଦିକ ସୁରକ୍ଷା ଜନିତ ସମସ୍ୟା, ସାମ୍ବାଦିକମାନଙ୍କ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସରକାରୀ ସହାୟତା ନେଇ ପଦକ୍ଷେପ ନିଆଯିବାର ଆବଶ୍ୟକତା ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ଦିବସ ପାଳନ ଅବସରରେ ସରକାରଙ୍କ ତରଫରୁ ଖବରକାଗଜମାନଙ୍କରେ ଶୁଭେଚଛା ବାର୍ତ୍ତା ଦିଆଯାଉଥିଲା ଭଳି ଜାତୀୟ ପ୍ରେସ୍ ଦିବସ ପାଳନ ପାଇଁ ସେହିଭଳି ଶୁଭେଚ୍ଛା ବାର୍ତ୍ତା ଦିଆ ନଯିବା ଜାତୀୟ ପ୍ରେସ୍ ଦିବସ ପାଳନ ପ୍ରତି ସରକାରଙ୍କ ଆଭିମୁଖ୍ୟ ଉତ୍ସାହ ଜନକ ଅନୁଭୂତି ହେଉନାହିଁ ବୋଲି ସାମ୍ବାଦିକମାନେ ପ୍ରକାଶ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧାନରେ ଏବଂ ତାଙ୍କ ସଭାପତିତ୍ୱରେ ଏହି ଦିବସ ପାଳନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।