Odiapua.com

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଏହି ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଆଇ ଲଭ ଭଦ୍ରକ ସ୍ଥାନରେ ଏକ ସୁଦୃଶ୍ୟ ସାଜସଜା ମଧ୍ୟରେ ହକି ଖେଳର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ମଧ୍ୟ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରିନିଧିମାନେ ମଧ୍ୟ ପୁଷ୍ପ ପ୍ରଦାନ କରିଥିଲେ । ଅପରାହ୍ନ ୪ଟାରେ ସଦ୍‌ଭାବନା ସଭାଗୃହରେ ଏହି ଦିବସ ପାଳନ ଉପଲକ୍ଷେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣା କରିବା ସହିତ ଜାତୀୟ କ୍ରୀଡ଼ାଦିବସ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ସହ ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ତହସିଲଦାର ଅତିରିକ୍ତ ତହସିଲଦାର, ସମସ୍ତ ସହକାରୀ ଓ ସହାୟକ ଜିଲ୍ଲାପାଳ ଓ କେତେକ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାକ୍ରୀଡ଼ା ଉପବିଭାଗରେ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ରମେଶ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସୂଚନା ଯୋଗ୍ୟକି ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହି ଦିବସ ପାଳନ ଉପଲକ୍ଷେ ଅଗଷ୍ଟ ୨୬ ରୁ ୩୧ ପର୍ଯ୍ୟନ୍ତ ଜାତୀୟ କ୍ରୀଡ଼ା ସପ୍ତାହ ପାଳନ କରାଯାଉଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କ୍ରୀଡ଼ା ଉପବିଭାଗ ଜରିଆରେ ନେହେରୁ ଷ୍ଟାଡ଼ିୟମ୍‌ରେ ଭଲିବଲ ଖେଳ ଏବଂ ତିହିଡ଼ି ଠାରେ ବ୍ୟାଡ଼ମିଷ୍ଟନ୍‌, ଚେସ୍‌, ଯୋଗ୍ୟାଭ୍ୟାସ ଆଦି କ୍ରୀଡ଼ା ଓ ସୁସ୍ଥତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।