Odiapua.com

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ସମାରୋହ, ୧୦୮ ହିତାଧିକାରୀଙ୍କୁ ଉପକରଣ ବଣ୍ଟନ, ଅଭିଯୋଗ ପାଇଁ ଜାରିହେଲା ନିଶୁଳ୍କ ନମ୍ବର

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅନୁଭାଗ ଜରିଆରେ ଆଜି ଟାଉନ୍‌ହଲ୍ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଏଲ୍‌ଡ଼ିଏମ୍ ଭଦ୍ରକ ନାଗେଶ୍ୱର ରାଓ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଦିଗରେ ସରକାରୀ ଯୋଜନାର କାର୍ଯ୍ୟକାରୀତା ସହ ସଚେତନତାର ଆବଶ୍ୟକତା ଅଛି ଏବଂ ଏ ଦିଗରେ ଆମ ସମସ୍ତଙ୍କର ଦାୟିତ୍ୱ ଅଛି ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। କ୍ରୀଡ଼ା, କଳା, ସାହିତ୍ୟ ଯେ କୌଣସି କ୍ଷେତ୍ରରେ ଆଗକୁ ବଢ଼ୁଥିବା ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ପଛରେ ଜିଲ୍ଲା ପ୍ରଶାସନର ପୂର୍ଣ୍ଣ ସମର୍ଥନ ଓ ସହଯୋଗ ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଦିବ୍ୟାଙ୍ଗମାନଙ୍କର ଅଭିଯୋଗ ପାଇଁ ଜିଲ୍ଲାରେ ନିଶୁଳ୍ପ ଫୋନ୍ ନମ୍ବର ଜାରି କରାଯିବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ। ନମ୍ବର ଟି ହେଲା ୮୯୧୭୨୪୨୩୦୦।

ହ୍ୱିଲ ଚେୟାର ଫେନସିଂ କ୍ରୀଡ଼ାରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଦର୍ଶନ କରି ଏକାଧିକ ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ହାସଲ କରିଥିବା ଏବଂ ଲଣ୍ଡନରେ ଅନୁଷ୍ଠିତ କମନ୍‌ୱେଲ୍‌ଥ କ୍ରୀଡ଼ାରେ ମଧ୍ୟ ଅଂଶ ଗ୍ରହଣ କରିଥିବା ଜିଲ୍ଲାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଭଣ୍ଡାରିପୋଖରୀର ରାଖାଲ କୁମାର ସେଠୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଜାତୀୟ ସ୍ତରରେ ଭୋପାଳକୁ ଖେଳିବାକୁ ଯାଇଥିବା ହ୍ୱିଲ ଚେୟାର କ୍ରୀକେଟ୍ ଭଦ୍ରକ ବ୍ଲକର ଖେଳାଳୀ ଅକ୍ଷୟ ସାହୁ, ଜିଲା୍ଲରେ ୪ଟି ଦିବ୍ୟାଙ୍ଗ ସ୍କୁଲ ପରିଚାଳନା ଓ ଗୋଟିଏ ଜରାଶ୍ରମ ପାଇଁ ପୃଷ୍ଠପୋଷକତା କରୁଥିବ ଇଂ. ଯୁଗଳ କିଶୋର ଅଗ୍ରୱାଲ, ସି.ଆର୍‌.ଏସ୍‌.ଆର୍‌.ର ସମ୍ପାଦକ ଡ଼. ଭଗବାନ ପରିଡ଼ାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବ୍ୟାଙ୍ଗ କୁ ବିବାହ କରିଥିବା ଦୁଇ ହିତାଧିକାରୀଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଲେଖାଏଁ ସମୁଦାୟ ୫ ଲକ୍ଷ ଟଙ୍କା ଅତିଥିମାନଙ୍କ ଦ୍ୱାର ପ୍ରଦାନ କରାଯାଇଥିଲା। ଭିନ୍ନକ୍ଷମଙ୍କ ପାଇଁ ଜିଲା୍ଲରେ କାର୍ଯ୍ୟରତ ୫ଟି ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ୧୦୮ ଜଣ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। ସେଥି ମଧ୍ୟରେ ଥିଲା ୧୦ଟି ତିନିଚକିଆ ସାଇକେଲ୍‌, ୩ଟି ହ୍ୱିଲ ଚେୟାର, ୧୨ଟି ପି.ଏ.ସି., ୧୧ଟି ଏମ୍‌.ଏସ୍‌.ଆଇ.ଇ.ଡ଼ି.କିଟ୍‌, ୨ଟି ବ୍ରେଲି କିଟ୍‌, ୬ଟି ଅନ୍ଧବାଡ଼ି, ୧ଟି ସ୍ମାର୍ଟକେନ୍‌, ୧ଟି ସ୍ମାର୍ଟ ଫୋନ୍‌. ୧୩ଟି ପ୍ରୋସ୍ଥେସିସ୍‌, ୨୦ଟି ଅର୍ଥୋସିସ୍‌, ୧୦ଟି ପି.ଏସ୍‌.ଏସ୍‌, ୬୨ଟି ଶ୍ରବଣଯନ୍ତ୍ର। ସାଧାରଣ ସଭା ଓ ବଣ୍ଟନ କାର୍ଯ୍ୟକ୍ରମ ପରେ ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିଷଷଣ କରାଯାଇଥିଲା। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ସଂଗୀତ ନୃତ୍ୟରେ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଅତିଥି ପରିଚୟ ସହ ମଞ୍ଚପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତି ବେହେରା ପ୍ରମୁଖଙ୍କ ସହ ଅନ୍ୟ ପଦାଧିକାରୀ, ସଂପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱତନ୍ତ୍ର ସ୍କୁଲ ଗୁଡ଼ିକର ଅନ୍ତେଃବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।