Odiapua.com

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟୋଷ୍ଠ ଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ ୫୦ ବରିଷ୍ଠ ନାଗରିକ ଓ ୩୧ କୃତୀ ପ୍ରତିଯୋଗୀ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୟୋଜ୍ୟୋଷ୍ଠ ନାଗରିକମାନେ କେବଳ ନିଜ ପରିବାରର ମୁଖ୍ୟ ନୁହନ୍ତି, ସେମାନେୋ ସମାଜର ମେରୁଦଣ୍ଡ ତଥା ଦେଶର ଦିଗଦର୍ଶକ । ସେମାନେ ବହୁ ଅଭିଜ୍ଞତା, ଅନୁଭବ ଜ୍ଞାନର ଭଣ୍ଡାର । ତେଣୁ ତାଙ୍କ ପ୍ରତି ଅବହେଳା, ଅନାଦାର କୁ ଉପେକ୍ଷା ସମୀଚୀନ ନୁହେଁ । ଏବେର ସମାଜରେ ନାନାଦି ନକାରାତ୍ମକ କାରଣରୁ ଅବକ୍ଷୟମୁଖୀ ସମାଜରେ ବରିଷ୍ଠ ନାଗରିକମାନେ ଅବହେଳିତ ହେଉଥିବା ଯୁଗ ଯନ୍ତ୍ରଣାରେ ପରିଣତ ହେବା ଆଦୋ ଶୁଭ ସଙ୍କେତ ନୁହେଁ । ସେମାନଙ୍କପ୍ରତି ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ଓ କର୍ତବ୍ୟ ସମ୍ବନ୍ଧରେ ବିଶେଷକରି ଆଜିର ଯୁବଗୋଷ୍ଠୀ ମଧ୍ୟରେ ସଚେତନତାର ଯଥେଷ୍ଠ ଆବଶ୍ୟକ ଅଛିବୋଲି ଭଦ୍ରକ ଜିଲ୍ଲା ପ୍ରସାଶନ ଆନୁକୁଲ୍ୟରେ ଶହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବରେଣ୍ୟ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ଏହା ପ୍ରକାଶ କରିବା ସହିତ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା, ଭବନ ନିର୍ମାଣ, ସରକାରୀ ସୁବିଧା ସୁଯୋଗ ଆଦି ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଦିଲୀପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟତମ ସମ୍ମାନିଥ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଅତିରିକ୍ତ ଏସ୍‌.ପି ସମ୍ବିତ କୁମାର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧୀର ରଞ୍ଜନ ନାୟକ, ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ବରିଷ୍ଠ ନାଗରିକ ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଦଗେଇ ଦିବସ ପାଳନ ଭିତିକ ବାର୍ତା ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଦିବସ ପାଳନ କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ବରିଷ୍ଠମାନଙ୍କ ପାଇଁ ଅଭିପ୍ରେତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଉପାଦେୟତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପ୍ରାକ୍ତନ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସଭା ପରିଚାଳନା କରିଥିଲେ । ଜିଲ୍ଲାରେ ଗଠିତ ୨୪ ଟି ବରିଷ୍ଟ ନାଗରିକ ସଂଙ୍ଘର କର୍ମକର୍ତା ଓ ସଦସ୍ୟମାନେ ୪୦୦ରୁ ଉର୍ଦ୍ଧ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମସ୍ତଙ୍କୁ ଉତରୀୟ ପ୍ରଦାନ ପୂର୍ବକ ସେମାନଙ୍କ ମଧ୍ୟରୁ ୫୦ ଜଣ ବରିଷ୍ଠ ନାଗରିକଙ୍କୁ ସାଲ ଓ ମାନପତ୍ର ପ୍ରଦାନ କରାଯାଇ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ହାଇସ୍କୁଲ ଓ କଲେଜ ସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା । ପ୍ରାକ୍ତନ କ୍ରୀଡା, ସ୍ୱଲ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ ଆନୁଷ୍ଠାନିକଭାବେ ଧନ୍ୟବାଦ ପ୍ରଦାନ କରିଥିଲେ । ରାଜନେତା କର୍ମୀ ସମାଜସେବୀ ବରିଷ୍ଠ ନାଗରିକ ସଂଙ୍ଘର ପରାମର୍ଶଦାତା ଅଜୟ ନାୟକ, ବରିଶ୍ଠ ସଦସ୍ୟ ରାଧାରାଣୀ ମହାପାତ୍ର, ଶଶିକାନ୍ତ ପାଢୀ, ବିଚିତ୍ରାନନ୍ଦ ମହାନ୍ତି, ବାଦଲ କିଶୋର ମହାପାତ୍ର, ପ୍ରଶାନ୍ତ ଦେ, ବିଜୟ ସେନାପତି ପ୍ରମୁଖ ଆନୁଷ୍ଠାନିକ ସହଯୋଗ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମିତା ମାଝୀ, ବି.ଏସ.ଏସ.ଓ. ଭଣ୍ଡାରିପୋଖରୀ ସନ୍ତନା ଦାସ, ବାସୁଦେବପୁର ଆଭା ରଞ୍ଜିତା ପୁହାଣ, ଧାମନଗର ଯଶୋଦାରାଣୀ ସାହୁ, ବନ୍ତ ର ପ୍ରକାଶ ଚନ୍ଦ୍ର ସାହୁ ଓ ବରିଷ୍ଠ ସହାୟକ ବିଦୁଶଙ୍କର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଶେଷ ଦାୟିତ୍ୱ ନିର୍ବାହ କରିଥିଲେ ।