Odiapua.com

ଜିଲ୍ଲାସ୍ତରୀୟ ଅକ୍ଷୟତୃତୀୟା ଓ ଜୟଦେବ ଜୟନ୍ତୀ ଉତ୍ସବ ପାଳନ

ମାଲକାନଗିରି, ୭ା୫ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ପବିତ୍ର ଅକ୍ଷୟ ତୃତୀୟା ଓ କବି ଜୟଦେବ ଜୟନ୍ତୀ ଉତ୍ସବ ପ୍ରଧାନିଗୁଡା ଗ୍ରାମସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଷରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଉପ କୃଷି ନିର୍ଦ୍ଦେଶକ ଓ କୃଷି ବିଭାଗ ପକ୍ଷରୁ ଆୟୋଜିତ ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜମିରେ ହଳ କରି ବିହନ ବୁଣୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଡିଏଫଓ ପ୍ରଦୀପ ମିରସେ, ଉପ କୃଷି ନିର୍ଦ୍ଦେଶକ ରାମଚନ୍ଦ୍ର ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ସହକାରୀ କୃଷି ଅଧିକାରୀ ଖରୋଦଚନ୍ଦ୍ର ବିଡିକା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ, ପ୍ରାଣି ଧନ ଉପ ନିର୍ଦ୍ଦେଶକ ଓ ପ୍ରାଣୀ ଚିକିତ୍ସା ଅଧିକାରୀ, ମତ୍ସ୍ୟ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ପ୍ରମୁଖ ଯୋଗଦେଇ ହାତରେ ଧାନ ଧରି ଜମିରେ ଅକ୍ଷିମୁଠି ବୁଣିଥିଲେ।

ଜିଲ୍ଲାପାଳ ହଳ ଲଙ୍ଗଳ ଧରି ବଳଦ ଗୋଡାଇ ଜମିରେ ହଳକରିବା ଦୃଶ୍ୟକୁ ଜନସାଧାରଣ ଜମି ଚାରି ପାର୍ଶ୍ବରେ ଛିଡା ହୋଇ ଉପଭୋଗ କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲ୍ଲାର କେତଜଣ ସଫଳ ଚାଷୀଙ୍କୁ ପୁରସ୍କାର ଓ ମାନପତ୍ର ଦିଆ ଯାଇଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଷି ଯୋଗଦେଇ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ। ଜିଲ୍ଲାର କାଲିମେଳା, ପଡିଆ, ଗୁମ୍ମା, ମାଥିଲି, କୋରଣ୍ଡା, ଖଇରପୁଟ, ମାଲକାନଗିରି ସାତଟି ଯାକ ବ୍ଲକ ଓ କୃଷି ବିଭାଗ ପକ୍ଷରୁ ଅକ୍ଷୟ ତୃତୀୟା ଦିବସ ପାଳିତ ହୋଇ ଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅକ୍ଷୟ ତୃତୀୟା ଉତ୍ସବ ସରିବା ପରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକଙ୍କ ଅଧ୍ୟକ୍ଷତାରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି।