Odiapua.com

ଜିଲ୍ଲାର ଚର୍ଚ୍ଚିତ ଗ୍ରାମ ଅଣ୍ଡିଆପାଟ ଘଟଣା, ଗଣଧାରଣା ପରେ ଗ୍ରାମ ଦାଣ୍ଡରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ତହସିଲଦାରଙ୍କ ଅବିଚାରମୂଳକ ପ୍ରଶାସନିକ କାର୍ଯ୍ୟକଳାପର ପ୍ରତିବାଦରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମାଜିକ କର୍ମୀ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ତାଙ୍କ ପରିବାରର ସଦସ୍ୟସଦସ୍ୟାଙ୍କ ସହିତ କେତେକ ଗ୍ରାମବାସୀ ଗଣଧାରଣାରେ ବସିଥିଲେ । ପରେ ପୋଲିସର ସହଯୋଗରେ ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଶ୍ରୀ ବିଶ୍ୱାଳଙ୍କ ସହିତ ସବିଶେଷ ଆଲୋଚନା କରି ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ତହସିଲଦାର ଚାନ୍ଦବାଲିଙ୍କ ତରଫରୁ ହୋଇଥିବା ସମସ୍ତ ଅବିଚାରମୂଳକ କାର୍ଯ୍ୟ ବାବଦରେ ପଚାରି ବୁଝିଥିଲେ । ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି ଜିଲ୍ଳାପାଳ ଶ୍ରୀଯୁକ୍ତ ବୋନ୍ଦର ତୁରନ୍ତ ଚାନ୍ଦବାଲି ତହସିଲ୍‌ରେ ପଡ଼ି ରହିଥିବା କେସ୍ ନଂ ୧୬୨/୨୦୨୦ର ବିଚାର କରି ଅଣ୍ଡିଆପାଟ ଗ୍ରାମ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ସରକାରୀ ମାପ କରାଇ ଜବରଦଖଲମୁକ୍ତ କରିବାକୁ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏ ବାବଦରେ ଚାନ୍ଦବାଲି ତହସିଲଦାରଙ୍କୁ ସମସ୍ତ ବିଷୟ ଫୋନ ଯୋଗେ ଅବଗତ କରାଇବାକୁ ଉପଜିଲ୍ଳାପାଳଙ୍କୁ କହିବା ସହିତ ଡେପୁଟି କଲେକ୍ଟର କାର୍ତ୍ତିକ ମଣ୍ଡଳ ଉକ୍ତ ନିର୍ଦ୍ଦେଶନାମାକୁ ହ୍ୱାଟ୍‌ସଅପ୍ ଯୋଗେ ତହସିଲଦାର ସୁଶାନ୍ତ ସୂତାରଙ୍କୁ ପଠାଇଥିଲେ । ଧାରଣା ପ୍ରତ୍ୟାହୃତ ପରେ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ସେ ବାଧ୍ୟ ହୋଇଥିଲେ ପରିବାର ସହ ଗଣଧାରଣାରେ ବସିବା ପାଇଁ । ଜିଲ୍ଳାପାଳ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ କିମ୍ବା କାର୍ଯ୍ୟକାରିତା ନହେଲେ ପୁଣି ଆନ୍ଦୋଳନକୁ ଆହୁରି କଠୋର କରିବେ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । ଏହି ଗଣଧାରଣାରେ ଶ୍ରୀ ବିଶ୍ୱାଳଙ୍କ ମାଆ ଅଖୁଜୀ ବିଶ୍ୱାଳ, ତାଙ୍କର ସମସ୍ତ ଭାଇ, ଭାଉଜ, ପୁତୁରା, ଝିଆରୀଙ୍କ ସହିତ ଗ୍ରାମବାସୀ ଅମିୟ ସାମଲ, ସତ୍ୟାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।