Odiapua.com

ଜିଲ୍ଲାର କୋଭିଡ୍ ପରିଚାଳନା ନେଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମୀକ୍ଷା: ପ୍ଲାଜାମା ଥେରାପି ଚିକିତ୍ସା ଉପରେ ଗୁରୁତ୍ୱାରୋପ

ବାଲେଶ୍ୱର, ୨୭ା୭ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବାଲେଶ୍ୱର ଗସ୍ତ ଅବସରରେ ଜିଲ୍ଲାର କୋଭିଡ୍ ପରିଚାଳନା ଓ ପ୍ଲାଜମା ଥେରାପି ଚିକିତ୍ସା ସମ୍ପର୍କିତ ଏକ ଅନଔପଚାରିକ ସମୀକ୍ଷା ବୈଠକ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଲେଶ୍ୱର ଉପ-ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ୍ ଜଗଦେବ୍ ପ୍ରମୁଖ ଏଥିରେ ଯୋଗଦେଇ ଜିଲ୍ଳାର ସଙ୍ଗୀନ ସ୍ଥିତିରେ ଥିବା କରୋନା ରୋଗୀଙ୍କ ପ୍ଲାଜମା ଥେରାପି ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଜିଲ୍ଲାର କରୋନା ସଂକ୍ରମିତରୁ ଭଲ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଓ ପ୍ଲାଜମା ଦାନ ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ମନ୍ତ୍ରୀ ପାଣିଗ୍ରାହୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଚିହ୍ନଟ ହୋଇଥିବା ୩୨୧ ଜଣଙ୍କୁ ବୁଝାସୁଝା କରି ପ୍ଲାଜମା ଦାନ ପାଇଁ ରାଜି କରାଇବାକୁ ସେ କହିଥିଲେ। ଆଇସିୟୁ ବା ଭେଣ୍ଟିଲେଟରରେ ରହିଥିବା ସଂକଟାପନ୍ନ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଯେପରି ବାଲେଶ୍ୱରରେ ସଫଳ କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ସବୁ ମହଲର ସହଯୋଗ କାମନା କରିଥିଲେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲାରେ ଉଚିତ କୋଭିଡ୍ ପରିଚାଳନା ଉପରେ ସେ ଏହି ବୈଠକରେ ଗୁରୁତ୍ୱାରୋପ କରିଥିଲେ।