Odiapua.com

ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୫୨ – କଟକଣା କୋହଳ ୫ମ ଲକ୍ ଡାଉନ୍‌କୁ ନେଇ ସାଧାରଣରେ ଆଶ୍ୱସ୍ତି

ବାଲେଶ୍ୱର, ୩୧ା୫(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ସୁଦ୍ଧା ଓଡ଼ିଶାରେ ସଂକ୍ରମିତଙ୍କ ୧୯୪୮ରେ ପହଞ୍ଚିଛି ଥିବା ବେଳେ ତନ୍ମଧ୍ୟରୁ ୧୧୨୬ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ କରୋନା ସଂକ୍ରମିତ ଥାଇ ଅନ୍ୟ ରୋଗରେ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୮୧୩ ଜଣ ଏବେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନୁରୂପ ଭାବେ ବାଲେଶ୍ୱରରେ ଆଜି ୬ ଜଣ ନୂଆ ପଜିଟିଭ ଚିହ୍ନ ହୋଇଥିବା ବେଳେ ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୨ରେ ପହଞ୍ଚିଛି। ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୨୭ ଜଣ ଏବେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସଂକ୍ରମିତ ଥାଇ ଅନ୍ୟ ରୋଗରେ ଜଣକର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଆଜି ଶେଷ ହୋଇଛି ସରକାରଙ୍କ ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି। କଟକଣା କୋହଳ ମଧ୍ୟରେ ସରକାର ଜୁନ୍ ମାସ ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ୍‌ରେ ଜନସାଧାରଣଙ୍କ ଯାତାୟତ ଓ ଗାଡ଼ି ଚଳାଚଳକୁ କଟକଣା ମୁକ୍ତ କରାଯାଇଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁକୁ ମଧ୍ୟ କୋହଳ କରାଯାଇଛି। ପୂର୍ବରୁ ସଂଧ୍ୟା ୭ଟାରୁ ସକାଳ ୬ ପର୍ଯ୍ୟନ୍ତ ଥିବା କର୍ଫ୍ୟୁ ଅବଧିକୁ ହ୍ରାସ କରାଯାଇ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କରାଯାଇଛି। ତେବେ ୧୦ ବର୍ଷରୁ କମ୍ ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ବୁଲାବୁଲି ଉପରେ କଟକଣା ରହିଛି। ଅନ୍ୟପକ୍ଷରେ ଏଥର ୩ ଗୋଟି ପର୍ଯ୍ୟାୟରେ ଲକ୍ ଡାଉନ କଟକଣାକୁ କୋହଳ କରାଯାଇଛି। ଯାହାବି ହେଉ କଟକଣା କୋହଳ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନକୁ ନେଇ ସାଧାରଣ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଶ୍ରମଜୀବୀ ଓ ସାଧାରଣ ଲୋକେ ଆଶ୍ୱସ୍ତ ହୋଇଥିବା ଜଣାପଡ଼ଛି।