Odiapua.com

ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ : ବାହାବଳପୁରରେ ମେରାଇନ୍‍ କେଜ କଲଚର ପ୍ରକଳ୍ପ ଶିଳାନ୍ୟାସ

ବାଲେଶ୍ୱର, ୧୦ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ବାହାବଳପୁରଠାରେ ଆଜି ମେରାଇନ କେଜ୍ କଲ୍‌ଚର (ସମୁଦ୍ରରେ ପଞ୍ଜୁରୀ ଭିତରେ ମାଛ ଚାଷ) ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ପ୍ରକଳ୍ପର ଶୁଭ ଭତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗଭୀର ସମୁଦ୍ରରେ ଅତ୍ୟାଧୁନିକ ମେରାଇନ କେଜ କଲଚର ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କରାଗଲେ ଏହା ବେଶ୍ ଲାଭଜନକ ସାବ୍ୟସ୍ତ ହେବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ କହିଥିଲେ। ମାଛ ଚାଷର ବିକାଶ ପାଇଁ ସମ୍ପ୍ରତି ବିପୁଳ ସବସିଡି ପ୍ରଦାନ କରାଯାଉଥିବା ବେଳେ ଜନସାଧାରଣ ଏହାର ସୁଯୋଗ ନେଇ ମାଛ ଚାଷ କରିବା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବାକୁ ସେ ଆହ୍ୱାନ ଦେଇଥିଲେ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସି. ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ଯୁଗ୍ମ ସଚିବ ଡ. ଜେ.ବାଲାଜୀ, ସାଗର ମେହେରା, ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଂଜନ ପ୍ରଧାନ, ବାହାବଳପୁର ଜିଲ୍ଲା ପରିଷଦ ସଦସ୍ୟା ସୁମତି ନାୟକ, ସ୍ଥାନୀୟ ସରପଞ୍ଚ ରଶ୍ମିତା ମଣ୍ଡଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରକଳ୍ପର ବିଭିନ୍ନ ଉପାଦେୟ ଦିଗ ଉପରେ ଆଲୋକପାତ କରିବା ସହିତ କେଜ କଲଚର ପ୍ରକଳ୍ପ ଦ୍ୱାରା ମତ୍ସ୍ୟ ଉତ୍ପାଦନ ବହୁଗୁଣ ବୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଯୋଗଦେଇ ଜିଲ୍ଲାର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏହି ପ୍ରକଳ୍ପ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଶାପ୍ରକଟ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅତିଥିମାନେ ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରସ୍ତୁତ ବିଭିନ୍ନ ପ୍ରଚାରପତ୍ରର ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ବିଶାଖାପାଟଣା ସ୍ଥିତ ଆଇସିଏଆର-ସିଏମଏଫଆରଆଇ ମୁଖ୍ୟ ଡ. ଶୁଭୋଦୀପ ଘୋଷ ମେରାଇନ କେଜ କଲଚର ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଆଇସିଏଆର-ସିଏମଏଫଆରଆଇ ପୁରୀ ଶାଖାର ଡ. ସୁବଳ କୁମାର ରାଉଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମତ୍ସ୍ୟ ବିଭାଗର ଉପ-ନିର୍ଦ୍ଦେଶକ ଅଜୟ କୁମାର ଭୋଇ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ଉପ-ନିର୍ଦ୍ଦେଶକ(ସାମୁଦ୍ରିକ) ବସନ୍ତ କୁମାର ଦାସ, ଉପ-ନିର୍ଦ୍ଦେଶକ ବିରଜା ଦ୍ୱିବେଦୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ କୁମାର ଘୋଷ, ମମତା ମହାପାତ୍ର, ସୁବ୍ରତ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।